ନ୍ୟୁଜ ଡେକ୍ସ : ଅନୁଗୋଳ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଓ ଅଭାବନୀୟ ଘଟଣା। ଦଣ୍ଡନାଚ ଦେଖି ଫେରୁଥିବା ବେଳେ ମାଆ ଓ ତାଙ୍କ କୁନି ଝିଅଙ୍କୁ ଉତ୍ପାତିଆ ହାତୀ ଆକ୍ରମଣ କରି ମାରିଦେଇଛି। ବନ୍ତଳା ଥାନା ଅନ୍ତର୍ଗତ ଅନୁଗୋଳ ବନଖଣ୍ଡର ମଧୁପୁର ଗ୍ରାମରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଏକ ଦମ୍ପତି ତାଙ୍କ ୩ ବର୍ଷର କୁନି ଝିଅ ସହ ବନ୍ତଳା ଥାନା ଅନ୍ତର୍ଗତ ଭୁକିଲାପାଳ ଗାଁରେ ଏକ ଫାର୍ମ ହାଉସରେ କାମ କରୁଥିଲେ। ଗୁରୁବାର ରାତିରେ ସେମାନେ କୌଣସି କାମ ପାଇଁ ମଧୁପୁର ନୂଆ କୁହ୍ଲସାହିକୁ ଆସିଥିଲେ। କାମ ସରି ଫେରୁଥିବା ବେଳେ ମଧୁପୁର ଗ୍ରାମର ନଳମାଳ ପାଖରେ ହଠାତ୍ ଏକ ଉତ୍ପାତିଆ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।ଅଚାନକ ଆକ୍ରମଣରେ ଭୟଭୀତ ହୋଇ ମହିଳାଙ୍କ ସ୍ୱାମୀ ଜୀବନ ବିକଳରେ ଦୌଡ଼ି ମଧୁପୁର ଗାଁକୁ ପଳାଇଥିଲେ। ସେଠାରେ ଗାଁଲୋକଙ୍କୁ ସହାୟତା ପାଇଁ ଡାକି ଆଣିଥିଲେ। କିନ୍ତୁ ସେମାନେ ଫେରି ଆସିବା ସମୟରେ ହାତୀ ମାଆ ଓ ଝିଅଙ୍କୁ ଦଳି ମାରିଦେଇଥିଲା।
ଏହି ଘଟଣା ପରେ ଗ୍ରାମବାସୀମାନେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଅଞ୍ଚଳରେ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏହି ଦୁର୍ଘଟଣା ପରେ ଗ୍ରାମରେ ଭୟର ପରିବେଶ ସୃଷ୍ଟି ହୋଇଥିବାବେଳେ ଲୋକମାନେ ରାତିରେ ବାହାରୁ ଯିବାକୁ ଭୟଭୀତ ହେଉଛନ୍ତି। ବନ୍ୟଜନ୍ତୁ ଆତଙ୍କ ନେଇ ଅଞ୍ଚଳବାସୀମାନେ ସୁରକ୍ଷା ବ୍ୟବସ୍ଥା କଠୋର କରିବାକୁ ଦାବି କରିଛନ୍ତି।ସମଗ୍ର ଘଟଣା ଅଞ୍ଚଳରେ ଶୋକର ଛାୟା ଛାଡ଼ିଦେଇଛି ଏବଂ ମାଆ-ଝିଅଙ୍କ ଦୁଃଖଦ ମୃତ୍ୟୁକୁ ନେଇ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି।

