Fri. Apr 17th, 2026

ନ୍ୟୁଜ ଡେକ୍ସ : ପୁରୀ ଶ୍ରୀମନ୍ଦିରର ଐତିହାସିକ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ପହଞ୍ଚି ତୃତୀୟ ଦିନରେ ପ୍ରବେଶ କରିଛି। ଆଜି ବାହାର ରତ୍ନଭଣ୍ଡାରରେ ରହିଥିବା ମୂଲ୍ୟବାନ ରତ୍ନ ଅଳଙ୍କାରମାନଙ୍କର ଗଣତି କାର୍ଯ୍ୟ କରାଯିବ। ସୂଚନା ଅନୁଯାୟୀ, ସକାଳ ଧୂପ ନୀତି ସମାପ୍ତ ହେବା ପରେ ଏହି ଗଣନା ପ୍ରକ୍ରିୟା ଆରମ୍ଭ ହେବ।ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସଫଳଭାବେ ସମାପ୍ତ ହୋଇଥିଲା।

ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ଜାରି ରହିଛି, ଯାହାକି ଏବେ ଗୁରୁତ୍ୱପୂର୍ଣ୍ଣ ଚରଣକୁ ପହଞ୍ଚିଛି। ଗତ ଦୁଇ ଦିନ ଧରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଗଣତି କାର୍ଯ୍ୟ ଚାଲିଥିବାବେଳେ ପ୍ରାୟ ୪୦ ପ୍ରତିଶତ ଗଣନା କାର୍ଯ୍ୟ ଶେଷ ହୋଇଛି।ଏହି ଗଣତି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ଓ ବନ୍ଦୋବସ୍ତ ବିଭାଗ ସହିତ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ନିୟୋଜିତ ହୋଇଛନ୍ତି। ରତ୍ନଭଣ୍ଡାରର ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ବହୁ ସଂଖ୍ୟକ ସୁରକ୍ଷାବଳ ମୋତାୟେନ କରାଯାଇଛି ଏବଂ ପ୍ରବେଶ ଓ ନିଷ୍କାସନ ପଥରେ କଡ଼ା ନିୟନ୍ତ୍ରଣ ଲାଗୁ କରାଯାଇଛି। ବାହାର ରତ୍ନଭଣ୍ଡାରରେ ରହିଥିବା ଅଳଙ୍କାରମାନଙ୍କ ମଧ୍ୟରେ ପୁରାତନ ସମୟର ଅନେକ ମୂଲ୍ୟବାନ ରତ୍ନ ଓ ସୁନା-ରୂପାର ଅଲଙ୍କାର ଥିବାରୁ ଏହି ଗଣତି ପ୍ରକ୍ରିୟାକୁ ଅତ୍ୟନ୍ତ ସତର୍କତା ଓ ସୁନିୟୋଜିତ ଭାବରେ କରାଯାଉଛି।

ପ୍ରତ୍ୟେକ ଅଳଙ୍କାରକୁ ଖୁବ ସତର୍କତାର ସହ ଯାଞ୍ଚ କରାଯାଉଥିବା ସହ ତାହାର ତାଲିକା ପ୍ରସ୍ତୁତ କରାଯାଉଛି।ଏହି ଗଣତି ପ୍ରକ୍ରିୟା ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖାଯାଉଛି। ଦୀର୍ଘ ସମୟ ପରେ ଏପରି ବିଶାଳ ମାପରେ ରତ୍ନଭଣ୍ଡାରର ଗଣନା କାର୍ଯ୍ୟ ହେଉଥିବାରୁ ଏହାକୁ ଐତିହାସିକ ପଦକ୍ଷେପ ଭାବେ ମନାଯାଉଛି।ଆଜିର ଗଣତି ପରେ ମୋଟ ଗଣନା କାର୍ଯ୍ୟ ଆଉ କେତେଦୂର ଆଗକୁ ବଢ଼ିବ ଓ କେତେ ଅଳଙ୍କାର ଗଣାଯାଇଛି, ସେନେଇ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ସୂଚନା ମିଳିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *