ନ୍ୟୁଜ ଡେକ୍ସ : ରାଜଧାନୀ ଦିଲ୍ଲୀରେ ପରିବହନ କ୍ଷେତ୍ରରେ ଆସୁଛି ବଡ଼ ପରିବର୍ତ୍ତନ। ଦିଲ୍ଲୀ ସରକାରଙ୍କ ‘ଦିଲ୍ଲୀ ବୈଦ୍ୟୁତିକ ଯାନ (ଇଭି) ନୀତି ୨୦୨୬-୨୦୩୦’ ଚିଠା ପ୍ରସ୍ତାବ ଅନୁସାରେ ଆସନ୍ତା କିଛି ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ସିଏନଜି ଚାଳିତ ଦୁଇଚକିଆ ଯାନ ଉପରେ ପୂର୍ଣ୍ଣ ରୋକ୍ ଲାଗିବାକୁ ଯାଉଛି। ପ୍ରଦୂଷଣ ହ୍ରାସ ଓ ସୁସ୍ଥ ପରିବେଶ ଲକ୍ଷ୍ୟରେ ସରକାର ଇଲେକ୍ଟ୍ରିକ୍ ଯାନକୁ ବିଶେଷ ପ୍ରୋତ୍ସାହନ ଦେବାକୁ ଯୋଜନା କରିଛନ୍ତି।
ଏହି ଡ୍ରାଫ୍ଟ ପଲିସି ଅନୁଯାୟୀ, ୨୦୨୭ ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ନୂତନ ତିନିଚକିଆ ଯାନ ପଞ୍ଜୀକରଣ କେବଳ ବୈଦ୍ୟୁତିକ ମଡେଲ ପାଇଁ ହିଁ ଅନୁମୋଦିତ ହେବ। ସେହିପରି ୨୦୨୮ ଏପ୍ରିଲ ୧ ଠାରୁ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ିର ନୂତନ ପଞ୍ଜୀକରଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଏବଂ କେବଳ ଇଲେକ୍ଟ୍ରିକ୍ ଯାନକୁ ଅନୁମତି ମିଳିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଏହି ନୀତିର ପ୍ରଭାବ ଦେଖାଯିବ।
ଆଗ୍ରିଗେଟର ଏବଂ ବିଭିନ୍ନ ସଂସ୍ଥା ଅଧୀନରେ ଚାଲୁଥିବା ଯାନଗୁଡ଼ିକ ପାଇଁ ୨୦୨୬ ଜାନୁଆରୀରୁ ନୂତନ ପେଟ୍ରୋଲ ବା ଡିଜେଲ ଯାନ କ୍ରୟ ଉପରେ ନିଷେଧ ଲାଗୁ ହେବ। ଏହା ସହିତ ସରକାରୀ ଯାନ ଓ ସ୍କୁଲ ବସ୍ଗୁଡ଼ିକୁ ପର୍ଯ୍ୟାୟକ୍ରମେ ବୈଦ୍ୟୁତିକରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏହି ପଦକ୍ଷେପ ଦ୍ୱାରା ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହିତ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ଗଢ଼ିଉଠିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।

