ନ୍ୟୁଜ ଡେକ୍ସ : ପ୍ରଶ୍ନପତ୍ର ଲିକ ଅଭିଯୋଗ ପରେ ବାତିଲ ହୋଇଥିବା ନିଟ୍ ୟୁଜି ପରୀକ୍ଷା ଆସନ୍ତା ଜୁନ ୨୧ ତାରିଖରେ ପୁଣିଥରେ ଅନୁଷ୍ଠିତ ହେବ। ପରୀକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ରର ସୁରକ୍ଷିତ ପରିବହନ ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯାଇପାରେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ପୂର୍ବରୁ ପ୍ରଶ୍ନପତ୍ର ପରିବହନ କାର୍ଯ୍ୟ କେବଳ ଡାକ ବିଭାଗ ଦ୍ୱାରା କରାଯାଉଥିବା ବେଳେ, ଏବେ ବାୟୁସେନା ବିମାନ ବ୍ୟବହାର କରିବାକୁ ବିଚାର କରାଯାଉଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ।ଏହି ବୈଠକରେ ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ଛପା ଏବଂ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜାତୀୟ ପରୀକ୍ଷଣ ଏଜେନ୍ସି ଏନଟିଏର ମହାନିର୍ଦ୍ଦେଶକଙ୍କ ସମେତ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।ସୂତ୍ର ଅନୁଯାୟୀ ବାୟୁସେନାକୁ ନିୟୋଜିତ କରିବା ନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନ ପରେ ଶେଷ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନିଜେ ଜୁନ ୨୧ରେ ହେବାକୁ ଥିବା ପରୀକ୍ଷା ପ୍ରସ୍ତୁତିର ତଦାରଖ କରୁଥିବା ସୂଚନା ମିଳିଛି।ଅନ୍ୟପଟେ ପ୍ରଶ୍ନପତ୍ର ଲିକ ଅଭିଯୋଗରେ CBI ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

