ନ୍ୟୁଜ ଡେକ୍ସ : ହାତରେ ମେହେନ୍ଦୀ, ପାଦରେ ଅଳତା, ନୂଆ ପୋଷାକ ସହ ଖିଲିପାନର ହସ । ପୋଡ଼ ପିଠାର ସୁଗନ୍ଧ ଓ ଦୋଳିର ଝୁଲଣ ମଧ୍ୟରେ ଆଜି ପହିଲି ରଜକୁ ସ୍ୱାଗତ କରିଛନ୍ତି ଓଡ଼ିଶାବାସୀ । ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ରଜର ଉତ୍ସାହ ଓ ଉଲ୍ଲାସ ଦେଖିବାକୁ ମିଳୁଛି । କୁଆଁରୀ ଝିଅମାନେ ନୂଆ ପୋଷାକ ପିନ୍ଧି, ପୋଡ଼ ପିଠା ଖାଇ ଏବଂ ଦୋଳି ଝୁଲି ରଜଗୀତ ଗାଇ ପର୍ବକୁ ଉପଭୋଗ କରୁଛନ୍ତି ।ଓଡ଼ିଶାର ଏକ ପ୍ରମୁଖ ଲୋକପର୍ବ ହେଉଛି ରଜ ।
ଆଷାଢ଼ ମାସ ଆରମ୍ଭକୁ ସ୍ୱାଗତ କରୁଥିବା ଏହି ପର୍ବ ତିନି ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଶେଷ ରଜ ପାଳିତ ହୁଏ । ଚତୁର୍ଥ ଦିନକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।ଲୋକବିଶ୍ୱାସ ଅନୁସାରେ ଏହି ସମୟରେ ଧରିତ୍ରୀ ମାତା ରଜସ୍ୱଳା ହୁଅନ୍ତି । ସେଥିପାଇଁ ତିନି ଦିନ ଧରି ଚାଷ କାମ ବନ୍ଦ ରଖାଯାଏ ଏବଂ ହଳ, ଲଙ୍ଗଳ ସହ ବସୁମତୀଙ୍କୁ ପୂଜା କରାଯାଏ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ନାରୀ ସମ୍ମାନ ଓ ବିଶ୍ରାମର ବାର୍ତ୍ତା ମଧ୍ୟ ବହନ କରେ ।ରଜ ଅବସରରେ କୁଆଁରୀ ଝିଅ ଓ ମହିଳାମାନଙ୍କୁ ବିଭିନ୍ନ ଘରୋଇ କାମରୁ ଅବକାଶ ଦିଆଯାଏ ।
ମାଟି ଖୋଳିବା, ଝାଡୁ କରିବା, ବାଟିବା, ସିଲାଇ କରିବା ଓ ରୋଷେଇ ଭଳି କାମ କରିବାକୁ ବାରଣ କରାଯାଏ । ଏହି ସମୟରେ ସେମାନେ ଦୋଳି ଝୁଲିବା, ଗୀତ ଗାଇବା ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇବାରେ ମଗ୍ନ ରହନ୍ତି ।ରଜ ପର୍ବର ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ପୋଡ଼ ପିଠା । ଚାଉଳ ଗୁଣ୍ଡ, ଗୁଡ଼, ନଡ଼ିଆ, ଘିଅ ଓ ସୁଗନ୍ଧିତ ମସଲାରେ ପ୍ରସ୍ତୁତ ଏହି ପାରମ୍ପରିକ ପିଠା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଅବସରରେ ତିଆରି ହୁଏ । ପରିବାର ସଦସ୍ୟଙ୍କ ସହ ପଡ଼ୋଶୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ମଧ୍ୟ ଏହା ବଣ୍ଟନ କରାଯାଏ ।ସଜବାଜ ଦିନରୁ ଆରମ୍ଭ ହୋଇଥିବା ରଜର ପ୍ରସ୍ତୁତି ଆଜି ପହିଲି ରଜରେ ଚରମ ସୀମାରେ ପହଞ୍ଚିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦୋଳି ବନ୍ଧାଯାଇଥିବା ବେଳେ ରଜଗୀତରେ ମୁଖରିତ ହୋଇଉଠିଛି ପରିବେଶ । ପାରମ୍ପରିକତା, ସଂସ୍କୃତି ଓ ଆନନ୍ଦର ଅନନ୍ୟ ସମନ୍ୱୟ ନେଇ ଆଜି ପହିଲି ରଜ ପାଳନ କରୁଛି ସାରା ଓଡ଼ିଶା ।

