Wed. Jun 3rd, 2026

ନ୍ୟୁଜ ଡେକ୍ସ : ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ଆର୍ଥିକ କାରବାର ପାଇଁ ପାନ୍ କାର୍ଡ ଏକ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇପାରିଛି। ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆୟକର ରିଟର୍ଣ୍ଣ ଦାଖଲ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାନ୍ କାର୍ଡର ଆବଶ୍ୟକତା ରହିଛି। ତେବେ ଅନେକ ଲୋକ ଅଜାଣତରେ କିମ୍ବା ଭୁଲବଶତଃ ଏକାଧିକ ପାନ୍ କାର୍ଡ ରଖିଥାନ୍ତି, ଯାହା ଆଇନ ଅନୁଯାୟୀ ବେଆଇନ।ଆୟକର ବିଭାଗର ନିୟମ ଅନୁସାରେ ଜଣେ ବ୍ୟକ୍ତି କେବଳ ଗୋଟିଏ ପାନ୍ କାର୍ଡ ରଖିପାରିବେ।

ଯଦି କୌଣସି ବ୍ୟକ୍ତିଙ୍କ ନାମରେ ଏକାଧିକ ପାନ୍ କାର୍ଡ ଥିବା ଜଣାପଡ଼େ, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆୟକର ଆଇନର ଧାରା ୨୭୨ବି ଅନୁଯାୟୀ ଏଥିପାଇଁ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ।ବିଶେଷଜ୍ଞଙ୍କ ମତରେ, ଅନେକ ସମୟରେ ନାମ, ଠିକଣା କିମ୍ବା ଅନ୍ୟାନ୍ୟ ସୂଚନା ପରିବର୍ତ୍ତନ କରିବା ପାଇଁ ଲୋକମାନେ ନୂଆ ପାନ୍ କାର୍ଡ ପାଇଁ ଆବେଦନ କରିଦିଅନ୍ତି। ଫଳରେ ସେମାନଙ୍କ ନାମରେ ଦୁଇଟି ପାନ୍ କାର୍ଡ ଜାରି ହୋଇଯାଏ। ନିୟମ ସମ୍ପର୍କରେ ଅବଗତ ନଥିବାରୁ ଏପରି ଭୁଲ ହେଲେ ମଧ୍ୟ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ଗଣାଯାଏ। ଏହାଛଡ଼ା ଏକାଧିକ ପାନ୍ କାର୍ଡ ଥିଲେ ବ୍ୟାଙ୍କ ଖାତା ସମ୍ପର୍କିତ ସମସ୍ୟା ସୃଷ୍ଟି ହୋଇପାରେ। ଆର୍ଥିକ ନେଣଦେଣ, ଋଣ ଆବେଦନ କିମ୍ବା କର ସମ୍ବନ୍ଧୀୟ କାର୍ଯ୍ୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ତେଣୁ ଯଦି କାହାରି ପାଖରେ ଦୁଇଟି ପାନ୍ କାର୍ଡ ରହିଛି, ତେବେ ତୁରନ୍ତ ଅତିରିକ୍ତ କାର୍ଡକୁ ସରେଣ୍ଡର କରିବା ପରାମର୍ଶ ଦିଆଯାଇଛି। ଏଥିପାଇଁ ଅନଲାଇନ ଓ ଅଫଲାଇନ ଉଭୟ ସୁବିଧା ଉପଲବ୍ଧ ରହିଛି।ଅନଲାଇନରେ ଏନଏସଡିଏଲ୍‌ ୱେବସାଇଟ୍‌ ମାଧ୍ୟମରେ ପାନ୍ ଚେଞ୍ଜ ରିକ୍ୱେଷ୍ଟ ଫର୍ମ ପୂରଣ କରି ଅତିରିକ୍ତ ପାନ୍ କାର୍ଡକୁ ବାତିଲ କରାଯାଇପାରିବ। ଏଥିରେ ବ୍ୟବହାରରେ ରଖିବାକୁ ଚାହୁଁଥିବା ପାନ୍ ନମ୍ବର ଉଲ୍ଲେଖ କରିବାକୁ ପଡ଼ିବ। ସେହିପରି ନିକଟସ୍ଥ ଆୟକର ବିଭାଗ କାର୍ଯ୍ୟାଳୟକୁ ଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଅଫଲାଇନରେ ମଧ୍ୟ ପାନ୍ କାର୍ଡ ସରେଣ୍ଡର କରାଯାଇପାରିବ।ତେଣୁ ଭବିଷ୍ୟତରେ ଜରିମାନା କିମ୍ବା ଅନ୍ୟାନ୍ୟ ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ନିଜ ପାଖରେ ଏକାଧିକ ପାନ୍ କାର୍ଡ ଅଛି କି ନାହିଁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *