ନ୍ୟୁଜ ଡେକ୍ସ : କରୋନା ମହାମାରୀ ପରେ ବିଶ୍ୱ ଯେତେବେଳେ ଧୀରେ ଧୀରେ ସାଧାରଣ ସ୍ଥିତିକୁ ଫେରୁଛି, ସେତେବେଳେ ପୁଣି ଥରେ ଚିନ୍ତା ବଢ଼ାଇଛି ଇବୋଲା ଭାଇରସ। ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ଇବୋଲାର ପ୍ରକୋପ ବଢ଼ୁଥିବା ବେଳେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। କେବଳ କଙ୍ଗୋରେ ଏପର୍ଯ୍ୟନ୍ତ ପ୍ରାୟ ୮୦ରୁ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେଠାରେ ୨୪୬ରୁ ଅଧିକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି।
ଇବୋଲାର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଭାବେ ଘୋଷଣା କରିଛି। ଏହା ପରେ ଭାରତ ସରକାର ମଧ୍ୟ ସତର୍କତା ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୌଣସି ଇବୋଲା ମାମଲା ଚିହ୍ନଟ ହୋଇନାହିଁ ଏବଂ ଦେଶ ପ୍ରତି ବିପଦ ବହୁତ କମ୍। ତଥାପି ସତର୍କତା ସ୍ୱରୂପ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। କଙ୍ଗୋ ଓ ଉଗାଣ୍ଡାରେ ଇବୋଲା ସଂକ୍ରମଣ ବଢୁଥିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏନସିଡିସି, ଆଇସିଏମଆର ଓ ଅନ୍ୟାନ୍ୟ ସଂସ୍ଥା ମିଳିତ ଭାବେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ବିମାନବନ୍ଦର ଓ ବନ୍ଦରଗୁଡ଼ିକରେ ସ୍କ୍ରିନିଂ, ନଜରଦାରୀ ଓ କ୍ୱାରାଣ୍ଟାଇନ୍ ବ୍ୟବସ୍ଥାକୁ ଆହୁରି କଡ଼ା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୁଣେର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲଜି ଲ୍ୟାବକୁ ପରୀକ୍ଷା ପାଇଁ ପ୍ରସ୍ତୁତ ରଖାଯାଇଥିବା ବେଳେ ଆବଶ୍ୟକ ହେଲେ ଅନ୍ୟ ଲ୍ୟାବଗୁଡ଼ିକୁ ମଧ୍ୟ ଯୋଡ଼ାଯିବ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜନସାଧାରଣଙ୍କୁ ଗୁଜବ ଓ ଭୁଲ ସୂଚନାରୁ ଦୂରେ ରହିବା ସହ ଆତଙ୍କିତ ନହେବାକୁ ଅନୁରୋଧ କରିଛି। ସରକାରଙ୍କ କହିବା ଅନୁଯାୟୀ, ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ପୂରାପୂରି ସତର୍କ ଏବଂ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି।ବିଶେଷ କଥା ହେଉଛି, ଆଗାମୀ ମେ ୨୮ରୁ ୩୧ ପର୍ଯ୍ୟନ୍ତ ଦିଲ୍ଲୀରେ ଚତୁର୍ଥ ଭାରତ-ଆଫ୍ରିକା ଫୋରମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।
ଏଥିରେ କଙ୍ଗୋ ଓ ଉଗାଣ୍ଡା ସହ ଅନେକ ଆଫ୍ରିକୀୟ ଦେଶର ପ୍ରତିନିଧିମାନେ ଯୋଗଦେବାର ସମ୍ଭାବନା ରହିଛି। ଏହା ପରେ ଜୁନ୍ ୧ରେ ଆନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ଶିଖର ସମ୍ମିଳନୀ ମଧ୍ୟ ହେବାକୁ ଯାଉଛି। ଏହି କାରଣରୁ ଭାରତ ସରକାର ସୀମା ନିରୀକ୍ଷଣ ଓ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛନ୍ତି।

