ନ୍ୟୁଜ ଡେକ୍ସ : ନୀଳ ସମୁଦ୍ର, ଧଳା ବାଲି ଓ କ୍ରିଷ୍ଟଲ ଭଳି ସଫା ଲାଗୁନ୍ ମଧ୍ୟରେ ଏବେ ବିମାନ ଅବତରଣର ଦୃଶ୍ୟ ଦେଖିବାକୁ ମିଳିପାରେ। ଭାରତର ସୁନ୍ଦର ଦ୍ୱୀପ ଲାକ୍ଷାଦ୍ୱୀପ ଖୁବ୍ ଶୀଘ୍ର ମାଳଦ୍ୱୀପ ଭଳି ସିପ୍ଲେନ୍ ଟୁରିଜିମ୍ର ନୂଆ କେନ୍ଦ୍ର ପାଲଟିବାକୁ ଯାଉଛି। କେନ୍ଦ୍ର ସରକାର ଦ୍ୱୀପରେ ସିପ୍ଲେନ୍ ସେବା ଆରମ୍ଭ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ଲାକ୍ଷାଦ୍ୱୀପର ୬ଟି ଦ୍ୱୀପରେ ‘ୱାଟର ଏରୋଡ୍ରମ୍’ ପ୍ରକଳ୍ପକୁ ମଞ୍ଜୁରୀ ଦେବା ପାଇଁ ସୁପାରିଶ କରିଛି। ଯଦି ଅନ୍ତିମ ମଞ୍ଜୁରୀ ମିଳିଯାଏ, ତେବେ ପର୍ଯ୍ୟଟକମାନେ ସିଧା ସମୁଦ୍ର ଭିତରେ ଥିବା ଲାଗୁନ୍ରେ ବିମାନରୁ ଓହ୍ଳାଇ ପାରିବେ। ଏହା ଫଳରେ ଲାକ୍ଷାଦ୍ୱୀପର ପର୍ଯ୍ୟଟନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।ଭାରତର ସବୁଠାରୁ ସୁନ୍ଦର ଦ୍ୱୀପମାନଙ୍କ ମଧ୍ୟରେ ଗଣନୀୟ ଲାକ୍ଷାଦ୍ୱୀପ ଏବେ ପର୍ଯ୍ୟଟନର ଏକ ନୂତନ ଯୁଗକୁ ପ୍ରବେଶ କରିବାକୁ ଯାଉଛି।
ସୂଚନା ଅନୁଯାୟୀ, କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ କମିଟି ଗତ ୨୦ ମାର୍ଚ୍ଚରେ ଏହି ପ୍ରକଳ୍ପ ପାଇଁ ପରିବେଶଗତ ମଞ୍ଜୁରୀ ସୁପାରିଶ କରିଥିଲା। ଏହି ପଦକ୍ଷେପ ଫଳରେ କୋଚିରୁ ସିଧାସଳଖ ସିପ୍ଲେନ୍ ସେବା ଆରମ୍ଭ ହେବାର ପଥ ପ୍ରାୟ ସ୍ପଷ୍ଟ ହୋଇଯାଇଛି। ପର୍ଯ୍ୟଟକମାନେ ଏଥିରେ ସମୁଦ୍ର ମଝିରେ ଉଡ଼ାଣ ଓ ଅବତରଣର ଅନନ୍ୟ ଅନୁଭବ ନେବା ସହ ଲାକ୍ଷାଦ୍ୱୀପର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆହୁରି ନିକଟରୁ ଉପଭୋଗ କରିପାରିବେ।

