ନ୍ୟୁଜ ଡେକ୍ସ : ପିପିଲି କିନ୍ନର ମର୍ଡର କେଶ୍ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡିକୁ ପୋଲିସ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ପିପିଲି ତରାକାଜ ବ୍ରିଜ ନିକଟରେ ହୋଇଥିବା ସୂଚନା ମିଳିଛି। ଗୁଳିବିନିମୟ ସମୟରେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ପକ୍ଷରୁ ଜଣାପଡିଛି ଯେ ଅଭିଯୁକ୍ତ କୃଷ୍ଣ କାଣ୍ଡି ଗଡ଼ ରୁପାସର ଅଞ୍ଚଳର ବାସିନ୍ଦା। ପିପିଲି ଥାନାରେ କେସ୍ ନମ୍ବର 73/26 ରେ ମାମଲା ରୁଜୁ ହୋଇ ଏହି ଘଟଣାର ତଦନ୍ତ ଚାଲିଥିଲା।ଉଲ୍ଲେଖନୀୟ ଯେ, ଫେବୃଆରୀ ୧ ତାରିଖ ରବିବାର ରାତିରେ ପୁରୀ ଜାତୀୟ ରାଜପଥର ସିଫା ନିକଟରେ କିଛି ଦୁର୍ବୃତ୍ତ ଏକ କିନ୍ନରଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତକ କିନ୍ନରଙ୍କ ନାମ ଅଞ୍ଜଳୀ (ସୋନା) ଭାବେ ଅଭିଯୋଗପତ୍ରରେ ଲେଖାଯାଇଥିବାବେଳେ, ପରିବାର ଲୋକେ ତାଙ୍କର ପ୍ରକୃତ ନାମ ଦିନେଶ ବୋଲି କହିଛନ୍ତି। ସେ ସାଲେପୁର ଅଞ୍ଚଳର ୨୫ ବର୍ଷୀୟ ଥିଲେ ଏବଂ ଭୁବନେଶ୍ୱରରେ ଯୋଗ ଶିକ୍ଷା ଦେଉଥିଲେ। ଘଟଣା ପରେ ଗୁରୁତର ଆହତ ଅଞ୍ଜଳୀଙ୍କୁ କିଛି କିନ୍ନର ସହଯୋଗୀ ଓ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣାସ୍ଥଳରୁ ନକଲି ଚୁଟି, ଚପଲ ଏବଂ ରକ୍ତଭିଜା ମାଟି ଜବତ କରିଥିଲା।
ଏହା ସହିତ ନିକଟସ୍ଥ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରି ପୋଲିସ ଅଭିଯୁକ୍ତ କୃଷ୍ଣ କାଣ୍ଡିଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଥିଲା।ଅଭିଯୁକ୍ତକୁ ଧରିବା ସମୟରେ ସେ ପୋଲିସ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିବାରୁ ଏନକାଉଣ୍ଟର ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି ଏବଂ ମାମଲାର ତଦନ୍ତ ଆହୁରି ଜୋରଦାର କରାଯାଇଛି। ଏହି ନିର୍ମମ ହତ୍ୟା ଘଟଣା ରାଜ୍ୟରେ ବ୍ୟାପକ ଆଲୋଚନା ଓ ଆକ୍ରୋଶ ସୃଷ୍ଟି କରିଥିବାବେଳେ, ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ କିଛି ପରିମାଣର ସନ୍ତୋଷ ଦେଖାଯାଇଛି।

