ନ୍ୟୁଜ ଡେକ୍ସ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁର ଅଞ୍ଚଳରେ ଏକ ଫାର୍ମହାଉସ ଭିତରୁ ମାଟି ତଳେ ପୋତାଯାଇଥିବା ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି। ସୋମବାର ସ୍ଥାନୀୟ ସଫେଇ କର୍ମଚାରୀମାନେ ଫାର୍ମହାଉସ ପରିସରରେ ସଫେଇ କାମ କରୁଥିବା ବେଳେ ମାଟି ତଳୁ ଅଧା ପୋତା ଅବସ୍ଥାରେ ଥିବା ଏକ ମୃତ ମହିଳାଙ୍କ ଆଙ୍ଗୁଠି ଦେଖିଥିଲେ।
ଏହି ଭୟାବହ ଦୃଶ୍ୟ ଦେଖି ସେମାନେ ତୁରନ୍ତ ଫାର୍ମହାଉସ କର୍ତ୍ତୃପକ୍ଷ ଓ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ସଦର ଥାନା ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଦି ମୃତଦେହକୁ ବାହାର କରିଥିଲେ। ମୃତଦେହଟି ଅଧା ପୋତା ଅବସ୍ଥାରେ ଥିବା ବେଳେ ତାହା କିଛି ଦିନ ପୁରୁଣା ହୋଇଥିବା ସନ୍ଦେହ ପୋଲିସ ପକ୍ଷରୁ ପ୍ରକାଶ ପାଇଛି। ପୋଲିସ ମୃତଦେହକୁ ଜବତ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଠାକୁ ମୃତା ମହିଳା କିଭଳି ଆସିଥିଲେ, କେଉଁଠାରୁ ଆସିଥିଲେ ଓ ତାଙ୍କର ମୃତ୍ୟୁ କେମିତି ହୋଇଥିଲା — ଏସବୁ ନେଇ ଏପର୍ଯ୍ୟନ୍ତ ଅନେକ ରହସ୍ୟ ଘେରି ରହିଛି।ଘଟଣାକୁ ଗୁରୁତ୍ୱର ସହ ନେଇ ସଦର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଫାର୍ମହାଉସ ଅଞ୍ଚଳର ସିସିଟିଭି ଫୁଟେଜ୍, ସ୍ଥାନୀୟ ଲୋକଙ୍କ ବୟାନ ଓ ମୋବାଇଲ ଟ୍ରାକିଂ ଆଦି ମାଧ୍ୟମରେ ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଖୋଜିବାକୁ ପୋଲିସ ପ୍ରୟାସ କରୁଛି।ଏପର୍ଯ୍ୟନ୍ତ ମୃତା ମହିଳାଙ୍କ ପରିଚୟ ମିଳିନଥିବାରୁ ମାମଲାଟି ଆଉ ଅଧିକ ରହସ୍ୟମୟ ହୋଇଯାଇଛି। ଏହି ଘଟଣା ଫାର୍ମହାଉସ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଥିବା ବେଳେ, ପୋଲିସ ଶୀଘ୍ର ସତ୍ୟ ପ୍ରକାଶ କରିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରୁଛନ୍ତି।

