ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ତେବେ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ କରାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏବେ ବଡ଼ ଅସୁବିଧାରେ ପଡ଼ିଛନ୍ତି। ପୁନଃ ମୂଲ୍ୟାୟନ ପାଇଁ ଦେବାକୁ ଥିବା ଦେୟକୁ ନେଇ ବିଭ୍ରାନ୍ତି ସୃଷ୍ଟି ହୋଇଛି।ବୋର୍ଡର ଅନଲାଇନ୍ ପୋର୍ଟାଲରେ ପ୍ରତି ବିଷୟ ପାଇଁ ୬୯ ହଜାର ଟଙ୍କା ଦେୟ ଦେବାକୁ ନିର୍ଦେଶ ଦିଆଯାଇଥିବା ଦେଖି ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଛନ୍ତି।
ତେବେ ଏହି ପରିମାଣ ସ୍ଥିର ନୁହେଁ। କେତେକ ସମୟରେ ମାତ୍ର ୧ ଟଙ୍କା ଦେଖାଯାଉଥିବାବେଳେ ଅନ୍ୟ ସମୟରେ ୬୯ ଟଙ୍କା ୭୦ ପଇସାରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେୟ ଦର୍ଶାଯାଉଥିବା ଅଭିଯୋଗ ଆସିଛି।ଏହି ବିଭ୍ରାନ୍ତିକର ତଥ୍ୟର ଚିତ୍ର ଅନେକ ଛାତ୍ରଛାତ୍ରୀ ସାମାଜିକ ଗଣମାଧ୍ୟମରେ ଭାଗ କରିଛନ୍ତି। ଜଣେ ଛାତ୍ର ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଇଂରାଜୀ ବିଷୟର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାବେଳେ ତାଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କାରୁ ଅଧିକ ଦେୟ ଦେବାକୁ ପଡ଼ିବ ବୋଲି ପୋର୍ଟାଲରେ ଦେଖାଯାଇଥିଲା। ସେହିପରି ଅନ୍ୟ କେତେକ ଛାତ୍ର ଦୁଇ କିମ୍ବା ତିନିଟି ବିଷୟର ପୁନଃ ମୂଲ୍ୟାୟନ ପାଇଁ ୧୬ ହଜାର କିମ୍ବା ୨୪ ହଜାର ଟଙ୍କା ଦେୟ ଦେଖାଯାଇଥିବା କହିଛନ୍ତି।
ଏଭଳି ବ୍ୟତିକ୍ରମ ଯୋଗୁଁ ଛାତ୍ରଛାତ୍ରୀମାନେ ଅସମଞ୍ଜସରେ ପଡ଼ିଛନ୍ତି।ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି। ପୋର୍ଟାଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଭୁଲ ତଥ୍ୟ ଦେଖାଯାଉଛି ବୋଲି କୁହାଯାଇଛି। ଏହି ତ୍ରୁଟି ସଂଶୋଧନ ହେବା ପରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।ଅନ୍ୟପଟେ ଅନେକ ସମୟରେ ପୋର୍ଟାଲ ଖୋଲୁନଥିବା ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

