Sat. Jun 6th, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ବଢ଼ିବା ପରେ କମିଶନରେଟ ପୋଲିସ ଏବେ ସକ୍ରିୟ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାବେଳେ ନାଇଟ୍ ଅପରେସନ୍ ଆରମ୍ଭ କରାଯାଇଛି।ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜୋରଦାର ନାଇଟ୍ ପାଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିଲା।

ସନ୍ଦିଗ୍ଧ ଯାନବାହନ ଓ ବ୍ୟକ୍ତିଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିଲା।ଗତକାଲି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ସମୀକ୍ଷା ବୈଠକ ପରେ ରାଜଧାନୀର ଆଇନ-ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷକରି ରାତି ସମୟରେ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ଏବଂ ଅପରାଧ ରୋକିବା ପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Leave a Reply

Your email address will not be published. Required fields are marked *