Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ ଜନତା ପାର୍ଟିକୁ ଖୁବ୍‌ ଶୀଘ୍ର ଏକ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବାକୁ ଯାଉଛି। ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଔପଚାରିକ ଭାବେ ବିଗୁଲ୍‌ ବାଜିଛି। ଦଳର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡାକ୍ତର କେ. ଲକ୍ଷ୍ମଣ ଏନେଇ ଏକ ବିଜ୍ଞପ୍ତି ଜାରି କରି ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି।ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ।

ଏହି ପ୍ରକ୍ରିୟା ମୋଟ ୨ ଦିନ ଧରି ଚାଲିବ।ନିର୍ବାଚନ ପ୍ରକ୍ରିୟାର ପ୍ରଥମ ପଦକ୍ଷେପ ଭାବେ ଜାନୁଆରୀ ୧୬ ତାରିଖ ଶୁକ୍ରବାର, ମାଘ କୃଷ୍ଣ ତ୍ରୟୋଦଶୀ ଦିନ ମଧ୍ୟାହ୍ନ ୧୨ଟାରେ ନିର୍ବାଚକ ମଣ୍ଡଳୀଙ୍କ ସୂଚୀ ପ୍ରକାଶ ପାଇବ। ଏହା ପରେ ଜାନୁଆରୀ ୧୯, ସୋମବାର, ମାଘ ଶୁକ୍ଳ ପ୍ରତିପଦା ଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ଭରିପାରିବେ।

ସେହି ଦିନ ସନ୍ଧ୍ୟା ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ପରେ ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ପ୍ରେସ୍ ବିବୃତ୍ତି ମାଧ୍ୟମରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବେ। ଜାନୁଆରୀ ୨୦, ମାଘ ଶୁକ୍ଳ ଦ୍ୱିତୀୟା ଦିନ ଯଦି ଏକାଧିକ ପ୍ରାର୍ଥୀ ଥାଆନ୍ତି, ତେବେ ଆବଶ୍ୟକତା ଅନୁଯାୟୀ ମତଦାନ କରାଯିବ। ଯଦି କେବଳ ଜଣେ ପ୍ରାର୍ଥୀ ରହିବେ, ତେବେ ସେହି ଦିନ ପୂର୍ବାହ୍ନ ସାଢ଼େ ୧୧ଟାରୁ ସାଢ଼େ ୧ଟା ମଧ୍ୟରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଔପଚାରିକ ଭାବେ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *