Tue. Jul 7th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ବର ଡିସିପି ତଥା ୨୦୧୩ ବ୍ୟାଚର ଯୁବ ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ପୁଲିସ ସେବାରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଛନ୍ତି। ପୁଲିସ ଡିଜି ୱାଇ. ବି. ଖୁରାନିଆ ଏହି ସୂଚନାକୁ ସ୍ପଷ୍ଟ କରିଥିବା ବେଳେ ଜଗମୋହନ ମୀନା ମଧ୍ୟ ନିଜେ ଏହାକୁ ସ୍ବୀକାର କରିଛନ୍ତି। ତେବେ ତାଙ୍କ ଆବେଦନକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ମଞ୍ଜୁର କରିନାହାନ୍ତି। ସୂଚନା ଅନୁଯାୟୀ, ସେ ପ୍ରାୟ ଚାରି ସପ୍ତାହ ପୂର୍ବରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।

ଜଗମୋହନ ମୀନା କହିଛନ୍ତି ଯେ, ତାଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ବହୁଦିନ ଧରି ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା କରିବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି। କାର୍ଯ୍ୟଚାପ, ସରକାରଙ୍କ ପ୍ରତି ଅସନ୍ତୋଷ କିମ୍ବା ଅନ୍ୟ କୌଣସି ପ୍ରଶାସନିକ କାରଣ ଏହା ପଛରେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ସେ କହିଛନ୍ତି, ଗତ ୧୩ ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ସମୟରେ ରାଜ୍ୟବାସୀଙ୍କ ଭଲପାଇବା, ସହଯୋଗ ଓ ସରକାରଙ୍କ ବିଶ୍ବାସ ପାଇଛନ୍ତି। ଗଞ୍ଜାମରେ ପ୍ରୋବେସନାରି ଅଧିକାରୀ ଭାବେ କ୍ୟାରିଅର ଆରମ୍ଭ କରି ଭୁବନେଶ୍ବର ଡିସିପି ପଦବି ପର୍ଯ୍ୟନ୍ତ ପହଞ୍ଚିବା ଯାତ୍ରାରେ ସେ ସଦା ଲୋକସେବାକୁ ପ୍ରାଥମିକତା ଦେଇଆସିଛନ୍ତି ଏବଂ ଏହାକୁ ସୌଭାଗ୍ୟ ବୋଲି ମନେ କରନ୍ତି।ରାଜନୀତିକୁ ଯିବା ନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ପୁଲିସ ସେବା ଛାଡ଼ିବା ପରେ ଜୀବିକା ନିର୍ବାହ ପାଇଁ ଅନ୍ୟ କୌଣସି କ୍ଷେତ୍ରରେ କାମ କରିବେ ବୋଲି କହିଥିବା ବେଳେ, ସେହି ସମ୍ପର୍କରେ ସମୟ ଆସିଲେ ସୂଚନା ଦେବେ ବୋଲି ଜଣାଇଛନ୍ତି।ଜଗମୋହନ ମୀନା ୨୦୧୩ ବ୍ୟାଚର ଆଇପିଏସ୍ ଅଧିକାରୀ।

ସେ ଗଞ୍ଜାମରେ ପ୍ରୋବେସନାରି ଅଧିକାରୀ ଭାବେ କାର୍ଯ୍ୟଜୀବନ ଆରମ୍ଭ କରି କଳାହାଣ୍ଡିରେ ଏସ୍ଡିପିଓ ଏବଂ ପରେ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମରେ ଏସ୍ପି ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୨୩ ମସିହାରେ ସେ ରାଜ୍ୟପାଳ ପଦକରେ ସମ୍ମାନିତ ହୋଇଥିଲେ। ପରବର୍ତ୍ତୀ ସମୟରେ କଟକର ଅପର ଉପ ପୁଲିସ କମିଶନର ଏବଂ ପରେ ଭୁବନେଶ୍ବର ଡିସିପି ଭାବେ କାର୍ଯ୍ୟ କରୁଥିଲେ।ତାଙ୍କ ଏହି ଆକସ୍ମିକ ନିଷ୍ପତ୍ତି ପୁଲିସ ବିଭାଗ ସହ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସମସ୍ତଙ୍କ ନଜର ରହିଛି ରାଜ୍ୟ ସରକାର ତାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ଉପରେ କେବେ ଏବଂ କିଭଳି ନିଷ୍ପତ୍ତି ନେଉଛନ୍ତି।

Leave a Reply

Your email address will not be published. Required fields are marked *