Fri. Apr 17th, 2026

ନ୍ୟୁଜ ଡେକ୍ସ: ଗୋଟିଏ ମାସରେ ଦୁଇଥର ଭୂ-କମ୍ପରେ ଥରିଲାଣି ପାକିସ୍ତାନ। ଶନିବାର ପାକିସ୍ତାନରେ ରାତି ପ୍ରାୟ ୧ଟା ୪୪ ମିନିଟ୍ (IST) ସମୟରେ ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଏକ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର କ୍ୱେତାଠୁ ମାତ୍ର କିଛି ଦୁରରେ ଥିବା ରେକର୍ଡ ହୋଇଛି।

ଏହି ଭୂମିକମ୍ପ ପାକିସ୍ତାନର କ୍ୱେଟା ଓ ଚମନ ଅଞ୍ଚଳ ନିକଟରେ ଅନୁଭୂତ ହୋଇଥିବା ବେଳେ ଅଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ତେବେ, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ପାକିସ୍ତାନ ଭୂତାତ୍ତ୍ୱିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ, ଯେଉଁଠାରେ ଭାରତୀୟ ଓ ଇଉରେସିଆନ ଟେକ୍ଟୋନିକ ପ୍ଲେଟ୍‌ ମିଳିତ ହୋଇଛି। ଏହି କାରଣରୁ ସେଠାରେ ବାରମ୍ବାର ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥାଏ। ଏହା ପୂର୍ବରୁ ମଧ୍ୟ ପାକିସ୍ତାନରେ ଅନେକ ବଡ଼ ଭୂମିକମ୍ପ ଘଟିଛି, ଯେଉଁଥିରୁ ୨୦୦୫ ମସିହାରେ ମୁଜଫ୍ଫରାବାଦରେ ହୋଇଥିବା ୭.୬ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ସବୁଠାରୁ ବଡ଼ ଥିଲା, ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ହାନି ଘଟିଥିଲା।

ସ୍ଥାନୀୟ ପ୍ରଶାସନ ଏବଂ ପାକିସ୍ତାନ ବିପର୍ଯ୍ୟୟ ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏବଂ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଭୂକମ୍ପ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି।ଏହା ପାକିସ୍ତାନରେ ଏକ ମାସ ମଧ୍ୟରେ ଦ୍ୱିତୀୟ ଭୂକମ୍ପ ଘଟଣା। ଯାହା ଦେଶର ଭୂତାତ୍ତ୍ୱିକ ସକ୍ରିୟତାକୁ ପୁନର୍ବାର ସୂଚାଇଛି।

Leave a Reply

Your email address will not be published. Required fields are marked *