ନ୍ୟୁଜ ଡେକ୍ସ :ଓଡ଼ିଶାରେ କଂଗ୍ରେସ ଦଳର ସଂଗଠନକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ସେ ଏକ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି।ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସ।
ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ଦଳ ପକ୍ଷରୁ ୧୦ଟି ଜିଲ୍ଲାରେ ମହିଳା ସମାବେଶ ଆୟୋଜନ କରିବା ପାଇଁ ଯୋଜନା ହେଉଛି। ଏହା ମାଧ୍ୟମରେ ମହିଳାମାନଙ୍କୁ ସଂଗଠିତ କରି ଦଳୀୟ କାର୍ଯ୍ୟକଳାପରେ ସେମାନଙ୍କର ଭୂମିକା ବଢ଼ାଇବା ଉଦ୍ଦେଶ୍ୟ ରହିଛି।ଭକ୍ତ ଚରଣ ଦାସ ଆହୁରି କହିଛନ୍ତି ଯେ, ସମସ୍ତ ଜିଲ୍ଲାର କଂଗ୍ରେସ ନେତା ଓ କର୍ମୀମାନେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବା ସହ ସମାବେଶଗୁଡ଼ିକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ସମାବେଶ ମାଧ୍ୟମରେ ମହିଳା ଅଧିକାର, ସମାନ ସୁଯୋଗ ଓ ସଶକ୍ତିକରଣ ବିଷୟରେ ସଚେତନତା ସୃଷ୍ଟି କରିବା କଂଗ୍ରେସର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଦଳର ମତାନୁସାରେ, ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱ ଓ ଉପସ୍ଥିତି ଓଡ଼ିଶାର ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜଗାଇବା ସହ ସେମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବାକୁ ପ୍ରେରଣା ଦେବ। ଏହି ଗସ୍ତକୁ ଦଳୀୟ ସଂଗଠନ ପୁନରୁଜ୍ଜୀବନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

