ନ୍ୟୁଜ ଡେକ୍ସ : ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଦ୍ୱାରା ଏକ ବଡ଼ ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାଶ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ଡିଆରଆଇ ପକ୍ଷରୁ ମୋଟ ୨୯.୩୭ କିଲୋଗ୍ରାମ ସୁନା ଜବତ କରାଯାଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୩୭.୭୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ଏହି ଘଟଣାରେ ଏପର୍ଯ୍ୟନ୍ତ ୨୬ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି।ଜବତ ହୋଇଥିବା ସୁନା ମଧ୍ୟରୁ ୨୫.୧୦ କିଲୋଗ୍ରାମ ସୁନା ବିସ୍କୁଟ୍ ଏବଂ ୪.୨୭ କିଲୋଗ୍ରାମ ସୁନା ଅଳଙ୍କାର ଥିବା ସୂଚନା ମିଳିଛି। ଏହି ସମସ୍ତ ସୁନା ବେଆଇନ ଭାବରେ ଦେଶଭିତରକୁ ଆଣିବା ପ୍ରୟାସ କରାଯାଉଥିଲା।ସୂଚନା ଅନୁଯାୟୀ, ଡିଆରଆଇ ପୂର୍ବରୁ ମିଳିଥିବା ଗୁପ୍ତ ସୂଚନାକୁ ଭିତ୍ତିକରି ୮ ଏପ୍ରିଲ ୨୦୨୬ ତାରିଖରେ କେନିୟାର ନାଇରୋବିରୁ ଆସୁଥିବା ଏକ ମହିଳା ଦଳକୁ ଟାର୍ଗେଟ କରିଥିଲେ। ଏହି ଦଳ ମୁମ୍ବାଇ ବିମାନବନ୍ଦର ଦେଇ ବିପୁଳ ପରିମାଣର ସୁନା ଚୋରା ଚାଲାଣ କରିବା ଯୋଜନାରେ ଥିବା ନେଇ ସନ୍ଦେହ ହୋଇଥିଲା।
ଏପ୍ରିଲ ୮ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ଏହି ଯାତ୍ରୀମାନେ ବିମାନବନ୍ଦରର ଗ୍ରୀନ୍ ଚ୍ୟାନେଲ ଦିଗକୁ ଯାଉଥିବା ବେଳେ ଡିଆରଆଇ ଅଧିକାରୀମାନଙ୍କୁ ଦେଖି ସନ୍ଦେହଜନକ ଭାବରେ ପଛକୁ ହଟିଯାଇଥିଲେ। ଏହାପରେ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା।ପଚରାଉଚରା ସମୟରେ ୨୫ ଜଣ ଯାତ୍ରୀ ନିଜ ପରିଚୟ ଦେଇଥିବାବେଳେ ୨୬ତମ ଯାତ୍ରୀ ନକଲି ପାସପୋର୍ଟ ବ୍ୟବହାର କରୁଥିବା ନେଇ ଧରାପଡ଼ିଥିଲେ। ତଦନ୍ତ ସମୟରେ ଦୁଇଜଣ ଯାତ୍ରୀଙ୍କ ଜୋତାରୁ ସୁନା ବିସ୍କୁଟ୍ ମିଳିଥିଲା, ଯାହାକି ଚତୁରତାର ସହିତ ଲୁଚାଇ ରଖାଯାଇଥିଲା।ଏହା ସହିତ କିଛି ଯାତ୍ରୀ ଲଗେଜ୍ ବେଲ୍ଟ ପାଖରେ କଳା ଟେପ୍ ଦ୍ୱାରା ମୁଡ଼ିଥିବା ପାକେଟ୍ ଫିଙ୍ଗିବାକୁ ଚେଷ୍ଟା କରୁଥିବାବେଳେ ଅଧିକାରୀମାନେ ସେଗୁଡିକୁ ଜବତ କରିଥିଲେ।
ସେଥିରୁ ତରଳ ଆକାରରେ ସୁନା ଭରା ପାଉଚ୍ ମଧ୍ୟ ମିଳିଥିବା ଜଣାପଡ଼ିଛି।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଧରାପଡ଼ିଥିବା କୌଣସି ଯାତ୍ରୀଙ୍କ ପାଖରେ ସୁନା ସମ୍ବନ୍ଧୀୟ କୌଣସି ବୈଧ ଦଳିଲ, ରସିଦ କିମ୍ବା ଅନୁମତି ପତ୍ର ମିଳିନଥିଲା। ସେମାନେ କଷ୍ଟମ୍ ବିଭାଗ ସମ୍ମୁଖରେ ଏହି ସୁନା ବିଷୟରେ କୌଣସି ଘୋଷଣା ମଧ୍ୟ କରିନଥିଲେ, ଯାହା ଚୋରା ଚାଲାଣର ସନ୍ଦେହକୁ ଆହୁରି ଦୃଢ଼ କରିଥିଲା। ଡିଆରଆଇ ବର୍ତ୍ତମାନ ଏହି ରାକେଟ୍ ପଛରେ ଥିବା ମୁଖ୍ୟ ମସ୍ତିଷ୍କକୁ ଧରିବା ପାଇଁ ତଦନ୍ତକୁ ଆଗକୁ ବଢ଼ାଇଛି। ଏହି ଚୋରା ଚାଲାଣ ଜାଲର ଆନ୍ତର୍ଜାତିକ ସଂଯୋଗ ଥିବା ସନ୍ଦେହ ମଧ୍ୟ ଜନ୍ମ ନେଇଛି।ଏହି ଘଟଣା ପୁନର୍ବାର ପ୍ରମାଣ କରିଛି ଯେ ବିମାନବନ୍ଦର ମାର୍ଗରେ ସୁନା ଚୋରା ଚାଲାଣ ଚେଷ୍ଟା ଚାଲିଥିବାବେଳେ ସୁରକ୍ଷା ଏଜେନ୍ସିମାନେ ସତର୍କ ଓ ସକ୍ରିୟ ଅଛନ୍ତି।

