ନ୍ୟୁଜ ଡେକ୍ସ୍: ମୃତ୍ୟୁ କେତେବେଳେ, କେଉଁ ରୂପରେ ଆସେ ତାହା ଜଣା ଯାଇନଥାଏ। ଆମେ ସମସ୍ତେ ଜାଣିଛୁ ମୃତ୍ୟୁ କେବେ ଦୁର୍ଘଟଣା ତ, କେବେ ରୋଗରେ ତ, ଆଉ କେବେ ପ୍ରାକୃତିକ ଉପାୟରେ ହୋଇଥାଏ। ଏହା ଜୀବନର ଏକ ସତ୍ୟ ଯାହାକୁ କୌଣସି ଭାବରେ ଟାଳି ପରାଯାଇନଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି ଘରେ ରଖିଥିବା କିଛି ଏମିତି ଜିନିଷ ଯାହା ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥାଏ ।
ସେ ଆଉ କିଛି ନୁହେଁ ରୁପାର ଭେସ୍ ବା ଫୁଲଦାନୀ । ଏହା ହେଉଛି ୧୫ ଶତାବ୍ଦିର ଏକ ସୁନ୍ଦର ଖୋଦେଇ ହୋଇଥିବା ରୁପାର ଭେସ୍ (ଫୁଲଦାନୀ)। ଇଟାଲୀ, ନାପୋଲିର ଏକ କନିଆକୁ ଉପହାର ସ୍ବରୂପ ଏହି ଭେସ୍ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ ବିବାହ ରାତିରେ ହିଁ କନିଆଙ୍କୁ ହତ୍ୟା କରାଯାଇଥିଲା। ଆଉ ତାଙ୍କ ହାତରେ ଥିଲା ସେହି ଭେସ୍। ଏହାପରେ ଉକ୍ତ ଭେସ୍ ତାଙ୍କ ପରିବାର ଲୋକେ ରଖିଥିଲେ। କିନ୍ତୁ ତାକୁ ଯିଏ ବି ରଖିଲେ ଖୁବ୍ କମ୍ ଦିନ ଭିତରେ ରହସ୍ୟଜନକଭାବେ ମୃତ୍ୟୁବରଣ କଲେ। ତେଣୁ ତାକୁ କେଉଁ ଏକ ଅଜଣା ସ୍ଥାନରେ ବାକ୍ସ ଭିତରେ ପୂରାଇ ଲୁଚାଇ ଦିଆଗଲା। ତେବେ ବାକ୍ସ ଭିତରେ ”ସାବଧାନ! ଏହି ଭେସ୍ ମୃତ୍ୟୁ ଆଣିଥାଏ“ ଲେଖି ଏକ କାଗଜ ରଖାଯାଇଥିଲା । କିନ୍ତୁ ୧୯୮୮ରେ ଏହାକୁ ପୁଣିଥରେ ଦେଖିବାକୁ ମିଳିଥିଲା। ଆଉ ନିଲାମ କରାଯାଇଥିଲା। ବହୁମୂଲ୍ୟ ଦେଇ ତାକୁ ଜଣେ ସ୍ଥାନୀୟ ଫାର୍ମାସିଷ୍ଟ ନେଇ ଯାଇଥିଲେ।
ଆଉ ଅନେକଦିନ ଧରି ବନ୍ଦ ହୋଇଯାଇଥିବା ମୃତ୍ୟୁର ଖେଳ ପୁଣି ଆରମ୍ଭ ହୋଇଗଲା। ମାତ୍ର ୩ ମାସ ଭିତରେ ସେହି ଫାର୍ମାସିଷ୍ଟଙ୍କର ରହସ୍ୟଜନକ ମୃତ୍ୟୁ ଘଟିଲା। ଘଟଣା ପରେ ପରିବାର ଲୋକେ ଭେସ୍ଟିକୁ ଜଣେ ବିଶିଷ୍ଟ ସର୍ଜନଙ୍କୁ ବିକ୍ରି କରିଦେଲେ, ଯେକି ଅଭିଶାପ ଆଦିକୁ ବିଶ୍ୱାସ କରୁ ନ ଥିଲେ। ତେବେ ମାତ୍ର ୨ ମାସରେ ସେହି ସର୍ଜନଙ୍କର ବି ମୃତ୍ୟୁ ହେଲା। ସେତେବେଳେ ତାଙ୍କୁ ବୟସ ମାତ୍ର ୩୭ ବର୍ଷ ହୋଇଥିଲା। ଏହାପରେ ଭେସ୍ଟିକୁ ଜଣେ ପ୍ରତ୍ନତତ୍ତ୍ୱବିତ୍ ନିଜ ସଂଗ୍ରହ ପାଇଁ କିଣିଥିଲେ। ଆଉ ମାତ୍ର ୩ ମାସ ପରେ ଅଜଣା ସଂକ୍ରମଣ ପାଇଁ ତାଙ୍କର ମୃତ୍ୟୁ ହେଲା। ତାଙ୍କ ପରିବାର ଲୋକେ ଅଭିଶପ୍ତ ଭେସ୍କୁ ବହୁ କମ୍ ମୂଲ୍ୟରେ ବିକିଦେଲେ। ଭେସ୍ର ନୂଆ ମାଲିକ ମାତ୍ର ୧ ମାସରେ ମୃତ୍ୟୁବରଣ କଲେ।
ଆଉ ତାଙ୍କ ପରିବାର ଲୋକେ ତାକୁ ଝରକାପଟୁ ବାହାରକୁ ଫିଙ୍ଗିଦେଲେ। ହେଲେ ଦୁର୍ଭାଗ୍ୟବଶତଃ ତାହା ଜଣେ ପୋଲିସ୍ଙ୍କୁ ବାଜିଲା। ଆଉ ସେ ତାଙ୍କୁ ଫାଇନ୍ ଲଗାଇ ଭେସ୍ ନେବାକୁ କହିଲେ। ମୃତକଙ୍କ ପରିବାର ଲୋକେ କହିଥିଲେ ଜେଲ ଯିବୁ ପଛେ ସେହି ଅଭିଶପ୍ତ ଭେସ୍ ରଖିବୁ ନାହିଁ। ପରେ ସେହି ପୋଲିସ କର୍ମଚାରୀ ବିଭିନ୍ନ ସଂଗ୍ରହାଳୟକୁ ଦେବାକୁ ଚେଷ୍ଟା କରିଥିଲେ। ହେଲେ ଭେସ୍ଟିକୁ କେହି ବି ରଖି ନ ଥିଲେ। ବିଶ୍ୱାସ କରାଯାଏ, ଶେଷରେ ସେ ଏକ ପୁରୁଣା ସମାଧି ଖୋଳି ଏକ ଲିଡ୍ର କଫିନ୍ରେ ଭେସ୍କୁ ରଖି ପୋତିଦେଇଥିଲେ।

