ନ୍ୟୁଜ ଡେକ୍ସ : ରାଜ୍ୟରେ ବିନା ଫିଟନେସ୍, ବୈଧ ପଞ୍ଜୀକରଣ ଓ ପରମିଟ୍ ବିନା ଚଳାଚଳ କରୁଥିବା ଗାଡ଼ି ବିରୋଧରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ଗତ ଜୁଲାଇ ୫ ଓ ୬ ତାରିଖରେ ସାରା ରାଜ୍ୟରେ ଚାଲିଥିବା ଏହି ଅଭିଯାନରେ ମୋଟ ୩,୦୫୭ଟି ଗାଡ଼ିର ତନାଘନା ଯାଞ୍ଚ କରାଯାଇଥିବା ବେଳେ ହଜାର ହଜାର ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପରିବହନ ବିଭାଗର ସୂଚନା ଅନୁଯାୟୀ, ବିନା ଫିଟନେସ୍ କିମ୍ବା ବୈଧ ପଞ୍ଜୀକରଣ ପାଇଁ ୪୭୮ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯାଇଛି। ସେହିପରି ବିନା ପରମିଟ୍ରେ ଚାଲୁଥିବା ୬୫ଟି ଗାଡ଼ି ଏବଂ ଉଭୟ ନିୟମ ଉଲ୍ଲଙ୍ଘନ କରିଥିବା ୧୭୨ଟି ଗାଡ଼ିକୁ ଚିହ୍ନଟ କରି କଡ଼ା ପଦକ୍ଷେପ ନିଆଯାଇଛି।ଏହି ଅଭିଯାନରେ ଭୁବନେଶ୍ୱର-୧ ଆରଟିଓ ସର୍ବାଧିକ ୩୦୫ଟି ଗାଡ଼ି ଯାଞ୍ଚ କରିଥିବା ବେଳେ ଗଞ୍ଜାମରେ ୨୯୭ଟି, କଟକରେ ୨୦୧ଟି, ଚଣ୍ଡିଖୋଲରେ ୧୯୮ଟି ଏବଂ ମୟୂରଭଞ୍ଜରେ ୧୪୮ଟି ଗାଡ଼ି ଯାଞ୍ଚ କରାଯାଇଛି। ଇ-ଚାଲାଣ ଜାରି କରିବାରେ ମଧ୍ୟ ଭୁବନେଶ୍ୱର-୧ ଆରଟିଓ ଶୀର୍ଷରେ ରହି ୭୨ଟି ଚାଲାଣ କାଟିଥିବା ବେଳେ କଟକ ୬୧ଟି, ଚଣ୍ଡିଖୋଲ ୩୫ଟି, ବାଲେଶ୍ୱର ୨୪ଟି ଏବଂ ଝାରସୁଗୁଡ଼ା ୧୫ଟି ଚାଲାଣ ଜାରି କରିଛି।ବିନା ପରମିଟ୍ରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ମଧ୍ୟ ବିଭାଗ କଠୋର ମନୋଭାବ ଗ୍ରହଣ କରିଛି।
ଏହି କ୍ଷେତ୍ରରେ ଝାରସୁଗୁଡ଼ା ଆରଟିଓ ୭ଟି, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଆରଟିଓ ୬ଟି ଲେଖାଏଁ ଏବଂ କଟକ ଓ ଗଞ୍ଜାମ ଆରଟିଓ ୫ଟି ଲେଖାଏଁ ଚାଲାଣ କାଟିଛନ୍ତି।ପରିବହନ କର୍ତ୍ତୃପକ୍ଷ କହିଛନ୍ତି, ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟାନ୍ୟ କାଗଜପତ୍ର ନିୟମିତ ନବୀକରଣ ନକରିଲେ ଦୁର୍ଘଟଣାର ଆଶଙ୍କା ବଢ଼ିଥାଏ। ସେଥିପାଇଁ ସମସ୍ତ ଗାଡ଼ି ମାଲିକଙ୍କୁ ଆବଶ୍ୟକ କାଗଜପତ୍ର ଅଦ୍ୟତନ ରଖିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏଭଳି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆହୁରି କଡ଼ାକଡ଼ି ଭାବେ ଜାରି ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି।

