Wed. Jul 8th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ଭିଜିଲାନ୍ସ ଜୟପୁରର ଉପନିର୍ଦ୍ଦେଶକ (ଭୂତତ୍ତ୍ୱ)-କମ-ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ଅଭିଯୋଗ ଅନୁସାରେ, ଏକ ଖଣି ଲିଜ୍‌ର ଅବଧି ବୃଦ୍ଧି କରିବା ସହ ବାଲି ଉତ୍ସର ଆଗାମୀ ସ୍ପଟ୍ ନିଲାମରେ ଅନୁଚିତ ସୁବିଧା ଯୋଗାଇ ଦେବା ପାଇଁ ସେ ଜଣେ ଲିଜ୍ ଧାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ।

ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ତାଙ୍କୁ ରଙ୍ଗେହାତ ଧରିଥିଲା ଏବଂ ତାଙ୍କ କବଜାରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା।ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ତଦନ୍ତ ଆରମ୍ଭ କରାଯାଇଛି। ଜୟପୁରର ଲିଙ୍ଗରାଜ ନଗରସ୍ଥିତ ବାସଭବନ ସମେତ କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଲକଣାରେ ଥିବା ସମ୍ପତ୍ତିରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ତଲାସ ବେଳେ ଜୟପୁର ବାସଭବନରୁ ଆହୁରି ୨ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ ହୋଇଛି।

ଏହାସହ ମୋଟ ଜବତ ନଗଦ ରାଶି ୪ ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି।ଏହି ଘଟଣାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ନଂ ୧୪/୨୦୨୬ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *