ନ୍ୟୁଜ ଡେକ୍ସ : ସରିଲା ଭୋଟ୍ ଗଣତି ଓ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନର ଫଳାଫଳ। ହାଇଭୋଲ୍ଟେଜ ଲଢେଇ ମଧ୍ୟରେ ଚାରିଜଣ ପ୍ରାର୍ଥୀ ବିଜୟୀ ହୋଇ ରାଜ୍ୟସଭାକୁ ପ୍ରବେଶ କରିଛନ୍ତି। ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର ବିଜୟ ହାସଲ କରିଥିବାବେଳେ ଦତ୍ତେଶ୍ୱର ହୋତା ପରାଜିତ ହୋଇଛନ୍ତି।ଏହି ନିର୍ବାଚନରେ ୪ଟି ଆସନ ପାଇଁ ମୋଟ ୫ଜଣ ପ୍ରାର୍ଥୀ ମଧ୍ୟରେ ଲଢେଇ ହୋଇଥିଲା।
ତେବେ ନିର୍ବାଚନର ଫଳକୁ ନିର୍ଣ୍ଣୟ କରିବାରେ କ୍ରସ୍ ଭୋଟିଂ ମୁଖ୍ୟ ଭୂମିକା ନେଇଥିବା ଦେଖାଯାଇଛି। ସୂଚନା ଅନୁସାରେ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି।ଭୋଟ୍ ଗଣନା ଅନୁଯାୟୀ ସଂନ୍ତୃପ୍ତ ମିଶ୍ର ୩୧ଟି ଭୋଟ୍ ପାଇଥିବାବେଳେ ଦିଲ୍ଲୀପ ରାୟ ୩୪ଟି ଭୋଟ୍ ହାସଲ କରିଛନ୍ତି। ସୁଜିତ କୁମାରଙ୍କୁ ୨୯ଟି ଓ ଦତ୍ତେଶ୍ୱର ହୋତାଙ୍କୁ ୨୩ଟି ଭୋଟ୍ ମିଳିଛି। ଏହା ସହିତ ମନମୋହନ ସାମଲ ମଧ୍ୟ ବିଜୟୀ ହୋଇଛନ୍ତି। କ୍ରସ୍ ଭୋଟିଂକୁ ନେଇ ରାଜନୀତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏନିମିତ୍ତେ କଠୋର ଆକ୍ରମଣ କରି କହିଛନ୍ତି ଯେ, କ୍ରସ୍ ଭୋଟିଂ କରିଥିବା କେତେକ ବିଧାୟକଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ନିର୍ବାଚନରେ ଘୋଡ଼ା ବେପାର ହୋଇଥିବା ସନ୍ଦେହ ରହିଛି।ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ମଧ୍ୟ ତୀବ୍ର ତଣାତଣି ସୃଷ୍ଟି ହୋଇଥିଲା। ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇ ବିବାଦ ବଢ଼ିଥିଲା। ନବ ମଲ୍ଲିକଙ୍କୁ ନେଇ ମଧ୍ୟ ଗଣ୍ଡଗୋଳ ସୃଷ୍ଟି ହୋଇଥିବାରୁ ରାଜନୀତିକ ପରିସ୍ଥିତି ଆହୁରି ତୀବ୍ର ହୋଇଯାଇଛି।

