Wed. Jun 3rd, 2026

ନ୍ୟୁଜ ଡେକ୍ସ : ଦେଶର ନ୍ୟାୟ ବ୍ୟବସ୍ଥାକୁ ଅଧିକ ଦ୍ରୁତ ଓ କାର୍ଯ୍ୟକ୍ଷମ କରିବା ଦିଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାୟ ପ୍ରଦାନରେ ହେଉଥିବା ବିଳମ୍ବକୁ ରୋକିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ସମସ୍ତ ହାଇକୋର୍ଟଙ୍କୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରିଛନ୍ତି।ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜ କ୍ଷମତା ବ୍ୟବହାର କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ମାମଲାରେ ଆଦେଶ ସଂରକ୍ଷିତ ରଖାଯିବା ପରେ ସର୍ବାଧିକ ୩ ମାସ ମଧ୍ୟରେ ରାୟ ପ୍ରକାଶ କରିବାକୁ ହେବ।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।ସୁପ୍ରିମକୋର୍ଟ କହିଛନ୍ତି ଯେ, ରାୟ ପ୍ରଦାନରେ ବିଳମ୍ବ ହେଲେ ମାମଲାକାରୀମାନେ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୁଅନ୍ତି। ବିଶେଷକରି ବ୍ୟକ୍ତିଗତ ସ୍ୱାଧୀନତା ସହ ଜଡ଼ିତ ମାମଲାଗୁଡ଼ିକରେ ଶୀଘ୍ର ନିଷ୍ପତ୍ତି ଅତ୍ୟନ୍ତ ଆବଶ୍ୟକ ବୋଲି ଅଦାଲତ ମତ ପ୍ରକାଶ କରିଛନ୍ତି। ଜାମିନ ଆବେଦନ ସମ୍ବନ୍ଧୀୟ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସମ୍ଭବ ହେଲେ ଆଦେଶ ସେହି ଦିନ ଘୋଷଣା କରାଯିବା ଉଚିତ। ଯଦି ଆଦେଶ ସଂରକ୍ଷିତ ରଖାଯାଏ, ତେବେ ତାହାକୁ ଶୀଘ୍ର ଘୋଷଣା କରି ପରବର୍ତ୍ତୀ ଦିନ ୱେବସାଇଟରେ ଅପଲୋଡ୍ କରିବାକୁ ହେବ।ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ରାୟ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ହାଇକୋର୍ଟର ୱେବସାଇଟରେ ଉପଲବ୍ଧ କରାଯିବା ଆବଶ୍ୟକ। ରାୟର ମୁଖ୍ୟ ଅଂଶ ଘୋଷଣା ହୋଇଥିବା ତାରିଖକୁ ରାୟ ଘୋଷଣା ତାରିଖ ଭାବେ ଗଣନା କରାଯିବ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି।

ଜାମିନ ପାଇଥିବା ବିଚାରାଧୀନ ବନ୍ଦୀମାନଙ୍କୁ ସମସ୍ତ ଔପଚାରିକତା ପୂରଣ ପରେ ସେହି ଦିନ ମୁକ୍ତ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହ ନିମ୍ନ ଅଦାଲତମାନଙ୍କୁ ଜାମିନ ଆଦେଶ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ହାଇକୋର୍ଟଗୁଡ଼ିକ ହେଉଛି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ପାଇବାର ପ୍ରଥମ ଓ ପ୍ରମୁଖ ମଞ୍ଚ। ତେଣୁ ସମୟୋଚିତ ରାୟ ପ୍ରଦାନ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖିବା ପାଇଁ ଅତ୍ୟନ୍ତ ଜରୁରୀ। ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶଗୁଡ଼ିକ କୌଣସି ବିଚାରପତି କିମ୍ବା ନ୍ୟାୟିକ ପ୍ରତିଷ୍ଠାନ ଉପରେ ଆକ୍ଷେପ କରିବା ପାଇଁ ନୁହେଁ, ବରଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଦ୍ରୁତ କରିବା ଏହାର ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *