ନ୍ୟୁଜ ଡେକ୍ସ : ଶୀତ ଋତୁ ଆସିଲେ ସହଜରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହି ସମୟରେ ସାଧାରଣତଃ ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ଗଣ୍ଠି ଓ ଆଣ୍ଠୁ ବେଦନା, ମାଂସପେଶୀ କଠିନତା, ବଦହଜମୀ, ପେଟ ଫୁଲିବା ସହ ରୋଗପ୍ରତିରୋଧକ ଶକ୍ତି କମିଯିବା ଭଳି ସମସ୍ୟା ଲୋକଙ୍କୁ ଅଧିକ ଭାବେ ପୀଡ଼ା ଦେଇଥାଏ। ଆୟୁର୍ବେଦ ଅନୁସାରେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇଁ କିଛି ପ୍ରାକୃତିକ ଉପାୟ ରହିଛି, ଯାହାମଧ୍ୟରୁ କଞ୍ଚା ହଳଦୀକୁ ଏକ ଶକ୍ତିଶାଳୀ ମହୌଷଧୀ ଭାବେ ଗଣନା କରାଯାଏ।
ଆୟୁର୍ବେଦିକ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, କଞ୍ଚା ହଳଦୀରେ ଥିବା କରକ୍ୟୁମିନ୍ ଉପାଦାନ ଶରୀର ପାଇଁ ବହୁତ ଉପକାରୀ। ଏହାର ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଭାଇରଲ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ଥିବାରୁ ଶୀତଦିନେ ହେଉଥିବା ଥଣ୍ଡା, କାଶ, ଗଳା ସଂକ୍ରମଣ ଓ ଭାଇରଲ ରୋଗରୁ ରକ୍ଷା କରିଥାଏ। ଏହା ନିୟମିତ ସେବନ କଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏବଂ ଶରୀର ରୋଗ ସହିତ ଲଢ଼ିବାରେ ସକ୍ଷମ ହୁଏ।ଶୀତକାଳରେ ଗଣ୍ଠି ଯନ୍ତ୍ରଣା, ଆଣ୍ଠୁ କଠିନତା ଓ ମାଂସପେଶୀର ଯନ୍ତ୍ରଣା ସାଧାରଣ ସମସ୍ୟା ଭାବେ ଦେଖାଯାଏ। କଞ୍ଚା ହଳଦୀର ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ପ୍ରଦାହକୁ କମାଇ ଯନ୍ତ୍ରଣାରୁ ରାହାତ ଦେଇଥାଏ। ରାତିରେ ଶୋଇବା ପୂର୍ବରୁ ଅଧ ଚାମଚ କଞ୍ଚା ହଳଦୀକୁ ଉଷୁମ କ୍ଷୀର ସହ ମିଶାଇ ପିଇଲେ ଗଣ୍ଠି କଠିନତା ଦୂର ହୁଏ, ମାଂସପେଶୀ ସୁସ୍ଥ ହୁଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ।
ଶୀତଦିନେ ହଜମ୍ ଶକ୍ତି କମିଯାଇଥାଏ, ଯାହାଫଳରେ ଗ୍ୟାସ୍, ବଦହଜମୀ ଓ ପେଟ ଫୁଲିବା ଭଳି ସମସ୍ୟା ବଢ଼ିଯାଏ। କଞ୍ଚା ହଳଦୀ ପାଚନ ଶକ୍ତିକୁ ବୃଦ୍ଧି କରି ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ। ଏହା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ କମାଇଥାଏ।କଞ୍ଚା ହଳଦୀ କେବଳ ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ତ୍ୱଚା ଓ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରେ, ଫେସପ୍ୟାକ୍ ଭଳି କାମ କରିଥାଏ ଏବଂ କେଶ ଝଡ଼ିବା, ଡ୍ୟାଣ୍ଡ୍ରଫ୍ ଭଳି ସମସ୍ୟାକୁ ହ୍ରାସ କରେ।ଲିଭର ସ୍ୱାସ୍ଥ୍ୟ ପାଇଁ ମଧ୍ୟ କଞ୍ଚା ହଳଦୀ ଖୁବ୍ ଉପକାରୀ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।
ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଲିଭରକୁ ବିଷମୁକ୍ତ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ।ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ, କଞ୍ଚା ହଳଦୀ ପାଣି ଲିଭରକୁ ଡିଟକ୍ସ କରିବା ପାଇଁ ବହୁତ ଉପକାରୀ। ଏହା ପାଇଁ କଞ୍ଚା ହଳଦୀକୁ ପେଷି ଉଷୁମ ପାଣି ସହ ମିଶାଇ, ସ୍ୱାଦ ପାଇଁ ଅଳ୍ପ ମହୁ ଓ କିଛି ବୁନ୍ଦା ଲେମ୍ବୁ ରସ ଯୋଗ କରି ଖାଲି ପେଟରେ ସେବନ କରିବାକୁ ପରାମର୍ଶ ଦିଆଯାଏ।

