Fri. Apr 17th, 2026

ନ୍ୟୁଜ ଡେକ୍ସ : କୋଲ୍ଡଡ୍ରିଙ୍କ୍ସ, ସୁଗାର୍‌ ଫ୍ରି ଚୁଇଙ୍ଗମ୍ ଏବଂ ଡାଏଟ୍ ଉତ୍ପାଦରେ ବ୍ୟବହୃତ କୃତ୍ରିମ ମିଠାକୁ ନେଇ ପୁଣି ଥରେ ଗମ୍ଭୀର ପ୍ରଶ୍ନ ଉଠିଛି। ସଦ୍ୟତମ ଅଧ୍ୟୟନଗୁଡ଼ିକରେ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଚିନ୍ତିତ କରିଦେଉଛି। ଅଧ୍ୟୟନ ଅନୁଯାୟୀ, କୋଲ୍ଡଡ୍ରିଙ୍କ୍ସ ଓ ସୁଗାର୍‌ ଫ୍ରି ଚୁଇଙ୍ଗମରେ ବ୍ୟବହୃତ କୃତ୍ରିମ ମିଠା ହୃଦରୋଗର ଆଶଙ୍କା ବଢ଼ାଉଥିବା ସହ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ମଧ୍ୟ ହ୍ରାସ କରୁଛି।

ଆସ୍ପାର୍ଟେମ୍, ଏରିଥ୍ରିଟଲ୍ ଓ ଜାଇଲିଟଲ୍ ଭଳି କୃତ୍ରିମ ମିଠା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ଅଧିକ କରୁଥିବା ଜଣାପଡ଼ିଛି। ଏହି ମିଠା ଚିନି ତୁଳନାରେ ପ୍ରାୟ ୨୦୦ ଗୁଣ ଅଧିକ ମିଠା ହେଲେ ମଧ୍ୟ କ୍ୟାଲୋରୀ ଅତ୍ୟନ୍ତ କମ୍‌ ଥାଏ। ଡାଏଟ୍ କୋକ୍‌ ଓ ସୁଗାର୍‌ ଫ୍ରି ଉତ୍ପାଦରେ ଆସ୍ପାର୍ଟେମ୍‌, ସୁଗାର୍‌ ଫ୍ରି ଗମ୍‌, କ୍ୟାଣ୍ଡି ଓ ଟୁଥପେଷ୍ଟରେ ଏରିଥ୍ରିଟଲ୍ ଓ ଜାଇଲିଟଲ୍‌, ଏବଂ କିଛି ଉତ୍ପାଦରେ ସୁକ୍ରାଲୋଜ୍‌ ଓ ସାକାରିନ୍‌ ବ୍ୟବହୃତ ହୁଏ। ‘ବାୟୋମେଡିସିନ୍‌ ଏଣ୍ଡ୍‌ ଫାର୍ମାକୋଥେରାପି’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ମୂଷା ଉପରେ ଆସ୍ପାର୍ଟେମ୍‌ର ପ୍ରଭାବ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳରୁ ଜଣାପଡ଼ିଛି ଯେ, ଅତ୍ୟଳ୍ପ ମାତ୍ରାରେ ମଧ୍ୟ ଆସ୍ପାର୍ଟେମ୍‌ ହୃତପିଣ୍ଡର ମାଂସପେଶୀକୁ ମୋଟା କରିଦେଉଛି, ଯାହା ଦୀର୍ଘକାଳରେ ହୃଦୟକୁ ଦୁର୍ବଳ କରିପାରେ।

ସେହିପରି, ୨୦୨୪–୨୦୨୫ ମଧ୍ୟରେ କ୍ଲିଭଲ୍ୟାଣ୍ଡ କ୍ଲିନିକ୍‌ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଏରିଥ୍ରିଟଲ୍‌ ଓ ଜାଇଲିଟଲ୍‌ ରକ୍ତ ପ୍ଲେଟଲେଟ୍‌ ସହ ଲାଗି ରହି ରକ୍ତ ଜମାଟ ବାନ୍ଧିବାର କାରଣ ହୁଏ। ଏହି ଜମାଟ ଯଦି ହୃଦୟ କିମ୍ବା ମସ୍ତିଷ୍କକୁ ପହଞ୍ଚେ, ତେବେ ଷ୍ଟ୍ରୋକ ସୃଷ୍ଟି ହେବାର ଆଶଙ୍କା ଥାଏ। ଅଧ୍ୟୟନ ଅନୁଯାୟୀ, ଏହି ମିଠା ଅତ୍ୟଧିକ ସେବନ କରୁଥିବା ଲୋକଙ୍କ ମଧ୍ୟରେ ହୃଦଘାତର ଆଶଙ୍କା ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ।

ଏହା ସହିତ, ସେପ୍ଟେମ୍ବର ୨୦୨୫ରେ ‘ନ୍ୟୁରୋଲୋଜି’ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅନ୍ୟ ଅଧ୍ୟୟନ ଆଠ ବର୍ଷ ଧରି ୧୨,୭୦୦ ଜଣଙ୍କୁ ଅନୁସରଣ କରିଥିଲା। ଏଥିରେ ଦେଖାଯାଇଥିଲା ଯେ, ଯେଉଁମାନେ ଅଧିକ କୃତ୍ରିମ ମିଠା ବ୍ୟବହାର କରୁଥିଲେ, ସେମାନଙ୍କର ସ୍ମୃତିଶକ୍ତି ଓ ଚିନ୍ତା କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ମୃତିଶକ୍ତି ହ୍ରାସ ୬୨ ପ୍ରତିଶତରୁ ଅଧିକ ଥିବା ଅଧ୍ୟୟନରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *