Wed. Jun 3rd, 2026

ନ୍ୟୁଜ ଡେକ୍ସ : କରୋନା ମହାମାରୀର ଭୟରୁ ବିଶ୍ୱ ଧୀରେ ଧୀରେ ମୁକ୍ତ ହେଉଥିବା ବେଳେ ଏବେ ଏକ ନୂଆ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ଦକ୍ଷିଣ ଆଟ୍ଲାଣ୍ଟିକ୍‌ରେ ଏକ କ୍ରୁଜ୍ ଶିପ୍‌ରେ ହେଣ୍ଟାଭାଇରସ୍ ସଂକ୍ରମଣ ଚିହ୍ନଟ ହେବା ସହ ୩ ଜଣଙ୍କ ମୃତ୍ୟୁ ଘଟିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ହୋଇପଡ଼ିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପରିସ୍ଥିତି ଉପରେ କଡ଼ା ନଜର ରଖିଛି।

‘ହୁ’ର ପୂର୍ବତନ ବୈଜ୍ଞାନିକ ଏବଂ ଆଇସିଏମ୍‌ଆର୍‌ର ପୂର୍ବତନ ଡାଇରେକ୍ଟର ଜେନେରାଲ ଡା. ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଏହା କରୋନା ଭଳି ବଡ଼ ମହାମାରୀର ରୂପ ନେବାର ସମ୍ଭାବନା କମ୍। କାରଣ ଏହି ଭାଇରସ୍‌ର ସଂକ୍ରମଣ ପ୍ରକ୍ରିୟା କରୋନାଠାରୁ ଅଲଗା।ସୂଚନା ଅନୁଯାୟୀ, କ୍ରୁଜ୍ ଶିପ୍‌ରେ ୧୧ ଜଣ ହେଣ୍ଟାଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜାହାଜଟି ବର୍ତ୍ତମାନ ସ୍ପେନ୍‌ର କାନାରି ଦ୍ୱୀପପୁଞ୍ଜ ନିକଟରେ ରହିଛି ଏବଂ ସଂକ୍ରମିତମାନଙ୍କୁ ପୃଥକ ରଖାଯାଇଛି। ହେଣ୍ଟାଭାଇରସ୍ ସାଧାରଣତଃ ମୂଷା ମାଧ୍ୟମରେ ମଣିଷଙ୍କୁ ସଂକ୍ରମିତ କରେ। ସଂକ୍ରମିତ ମୂଷାର ମଳମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ। କିନ୍ତୁ ଏଥର ଚିହ୍ନଟ ହୋଇଥିବା ଆଣ୍ଡିଜ ଷ୍ଟ୍ରେନ୍‌ର ବିଶେଷତା ହେଉଛି ଏହା ସୀମିତ ପରିସ୍ଥିତିରେ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିପାରେ।

ଦକ୍ଷିଣ ଆମେରିକାରେ ପୂର୍ବରୁ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା।ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ହେଣ୍ଟାଭାଇରସ୍‌ର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଫ୍ଲୁ ଭଳି ଲାଗେ। ଶରୀରରେ ଯନ୍ତ୍ରଣା, ଥଣ୍ଡା ଲାଗିବା, ଜ୍ୱର ଓ ପେଟ ସମସ୍ୟା ଦେଖାଯାଇପାରେ। ପରବର୍ତ୍ତୀ ସମୟରେ ଏହା ଫୁସ୍‌ଫୁସ୍‌କୁ ପ୍ରଭାବିତ କରି ଶ୍ୱାସକ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି କରେ।ଏହି ଭାଇରସ୍‌ର ମୃତ୍ୟୁହାର ୨୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଥିବାରୁ ଏହାକୁ ବେଶ୍ ବିପଦପୂର୍ଣ୍ଣ ଭାବେ ଦେଖାଯାଉଛି। କରୋନା ତୁଳନାରେ ଏହାର ମୃତ୍ୟୁହାର ଅଧିକ ଥିବାରୁ ସଠିକ୍ ସମୟରେ ଚିକିତ୍ସା ଏବଂ ସତର୍କତା ଅତ୍ୟନ୍ତ ଜରୁରି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *