ନ୍ୟୁଜ ଡେକ୍ସ : ଗ୍ରୀଷ୍ମ ଋତୁ ଆସିଲେ ଶରୀରକୁ ଥଣ୍ଡା ଓ ସତେଜ ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। ଏହି ପରିସ୍ଥିତିରେ ପୁଦିନା ଗଛ ଏକ ପ୍ରାକୃତିକ ଉପହାର ଭାବେ ପରିଚିତ। ଘରୋଇ ରୋଷେଇଘର କିମ୍ବା ବଗିଚାରେ ସହଜରେ ମିଳୁଥିବା ପୁଦିନା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନୁହେଁ, ଗ୍ରୀଷ୍ମରେ ସ୍ୱାସ୍ଥ୍ୟର ରକ୍ଷାକର୍ତ୍ତା ଭାବେ କାମ କରେ।ପୁଦିନାକୁ ଗ୍ରୀଷ୍ମକାଳୀନ ସୁପରଫୁଡ୍ ବୋଲି କୁହାଯାଏ।
ଏହା ଡିହାଇଡ୍ରେସନ୍ ରୋକିବା ସହିତ ଶରୀରକୁ ହାଇଡ୍ରେଟ୍ ରଖିଥାଏ। ପୁଦିନା ପାଣି କିମ୍ବା ଚଟଣି ଖାଇଲେ ଶରୀର ଥଣ୍ଡା ରହିଥାଏ ଓ ଗରମର ପ୍ରଭାବ କମିଯାଏ।ପାଚନ ତନ୍ତ୍ର ପାଇଁ ମଧ୍ୟ ପୁଦିନା ଖୁବ ଉପକାରୀ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ମେନ୍ଥଲ ଗ୍ୟାସ, ଏସିଡିଟି ଓ ବଦହଜମୀକୁ ଦୂର କରିଥାଏ। ପେଟ ଯନ୍ତ୍ରଣା କମାଇବା ପାଇଁ ପୁଦିନା ଚା’ ଖୁବ ଲାଭଦାୟକ।ଶ୍ୱାସକ୍ରିୟା ସମସ୍ୟାରେ ମଧ୍ୟ ଏହା ଉପକାରୀ। ପୁଦିନାର ସୁଗନ୍ଧ ଓ ଏଥିରେ ଥିବା ମେନ୍ଥଲ କଫକୁ ହ୍ରାସ କରି ଶ୍ୱାସ ନିବାକୁ ସହଜ କରେ। ସାଇନସ୍ ଓ କାଶ ଭଳି ସମସ୍ୟାରେ ମଧ୍ୟ ଏହା ଆରାମ ଦେଇଥାଏ। ଗ୍ରୀଷ୍ମରେ ଚର୍ମ ସମସ୍ୟା ହେବା ସାଧାରଣ କଥା। ପୁଦିନା ପେଷ୍ଟ ଲଗାଇଲେ ଚର୍ମ ଥଣ୍ଡା ରହେ ଓ ରାସେସ୍, ସନବର୍ଣ୍ଣ ଓ ବ୍ରଣରୁ ରକ୍ଷା ମିଳେ। ଏହା ସଂକ୍ରମଣକୁ ମଧ୍ୟ ଦୂରେଇ ରଖେ।ପାଟିର ଦୁର୍ଗନ୍ଧ ଦୂର କରିବାରେ ପୁଦିନା ଏକ ପ୍ରାକୃତିକ ମାଉଥ୍ ଫ୍ରେସନର୍ ଭାବେ କାମ କରେ।
ଏହାର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ମୁଖର ଜୀବାଣୁକୁ ନଷ୍ଟ କରି ଶ୍ୱାସକୁ ସତେଜ ରଖେ।ଏହା ସହିତ ପୁଦିନା ମନକୁ ମଧ୍ୟ ସତେଜ କରେ। ଷ୍ଟ୍ରେସ କମାଇ ମୁଡ୍କୁ ଭଲ କରିଥାଏ। ପୁଦିନା ଚା’ କିମ୍ବା ସରବତ ପିଇଲେ ସାରା ଦିନର ଥକାପଣ ଦୂର ହୋଇଯାଏ।ପୁଦିନାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଖୁବ ସହଜ। ପୁଦିନା ପାଣି, ସରବତ, ଚଟଣି, ସାଲାଡ୍ କିମ୍ବା ଚା’ ଭାବେ ଏହାକୁ ନିୟମିତ ସେବନ କରିପାରିବେ। ଏହା ସ୍ୱାସ୍ଥ୍ୟ ସହିତ ଚର୍ମକୁ ମଧ୍ୟ ଉପକାର କରେ।ତେଣୁ ଏହି ଗ୍ରୀଷ୍ମ ଋତୁରେ ପୁଦିନାକୁ ଆପଣଙ୍କ ଡାଏଟର ଅଂଶ କରନ୍ତୁ ଓ ନିଜକୁ ରଖନ୍ତୁ ଥଣ୍ଡା, ସୁସ୍ଥ ଓ ସତେଜ।

