ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍। ସେ ପିତା ସନାୱାଲ୍ଲାଙ୍କ ସହ ଗତ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦପ୍ରସାଦରେ ଭଡାରେ ରହୁଥିଲେ।ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିପ୍ଲବୀ ଧରଣୀଧର ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ହେବାକୁ ଥିଲା।
ସେହି ପ୍ରତିମୂର୍ତ୍ତିର ଫଟୋକୁ ସ୍ଥାନୀୟ ବିଜେପି କର୍ମୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାରେ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ସାଫିୱାଲ୍ଲା ଖାନ୍ ଫେସବୁକ୍ରେ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି “ଏତେ ଦିନ ପରେ ମନେ ପଡିଲା କି” ବୋଲି ପ୍ରଶ୍ନ କରିବା ସହ ଅଶ୍ଳୀଳ ଭାଷାରେ ଇଙ୍ଗିତ କରିଥିଲେ।
ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଜଟଣୀ ନୂଆଗାଁ ଗ୍ରାମର ସବ୍ୟସାଚୀ ଦାସ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସାଫିୱାଲ୍ଲାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଉମେଶ ସାହୁ ପ୍ରକାଶ କରିଛନ୍ତି।

