ନ୍ୟୁଜ ଡେକ୍ସ : ଆମେରିକାର ହ୍ୱାଇଟ୍ ହାଉସ୍ରେ ପୁଣିଥରେ ବଡ଼ ସୁରକ୍ଷା ବିଚ୍ୟୁତି ଘଟିଛି। ଶନିବାର ସନ୍ଧ୍ୟାରେ ହ୍ୱାଇଟ୍ ହାଉସ୍ ସୁରକ୍ଷା ଚେକପଏଣ୍ଟ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳିଚାଳନା କରିଥିବାବେଳେ ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ଉପସ୍ଥିତ ଥିଲେ। ଘଟଣା ପରେ ସିକ୍ରେଟ୍ ସର୍ଭିସ୍ ପାଲଟା ଗୁଳିଚାଳନା କରି ସନ୍ଦିଗ୍ଧଙ୍କୁ ଆହତ କରିଥିଲା।
ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।ସିକ୍ରେଟ୍ ସର୍ଭିସ୍ର ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୬ଟା ପରେ ସନ୍ଦିଗ୍ଧ ବ୍ୟକ୍ତି ଚେକପଏଣ୍ଟ ନିକଟକୁ ଆସିଥିଲେ। ପରେ ସେ ତାଙ୍କ ବ୍ୟାଗରୁ ଏକ ଅସ୍ତ୍ର ବାହାର କରି ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ। ଏହାର ପ୍ରତିକ୍ରିୟାରେ ଅଧିକାରୀମାନେ ପାଲଟା ଗୁଳିଚାଳନା କରିଥିଲେ।ଘଟଣାରେ ଜଣେ ପଥଚାରୀ ମଧ୍ୟ ଗୁଳିବିଦ୍ଧ ହୋଇଥିବା ଜଣାପଡ଼ିଛି। ତେବେ ସେ ସନ୍ଦିଗ୍ଧଙ୍କ ଗୁଳିରେ ନା ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିରେ ଆହତ ହୋଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାରେ କୌଣସି ସିକ୍ରେଟ୍ ସର୍ଭିସ୍ ଅଧିକାରୀ ଆହତ ହୋଇନଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି। ଘଟଣା ସମୟରେ ହ୍ୱାଇଟ୍ ହାଉସ୍ରେ ଉପସ୍ଥିତ ସାମ୍ବାଦିକମାନେ ଅନେକ ଗୁଳିର ଶବ୍ଦ ଶୁଣିଥିବା କହିଛନ୍ତି। ସୁରକ୍ଷା କାରଣରୁ ସେମାନଙ୍କୁ ପ୍ରେସ୍ ବ୍ରିଫିଂ ରୁମ୍ ଭିତରେ ଆଶ୍ରୟ ନେବାକୁ କୁହାଯାଇଥିଲା।
ଏହି ଘଟଣା ପରେ ମେଟ୍ରୋପଲିଟାନ୍ ପୋଲିସ୍ ବିଭାଗ ତାଙ୍କ X ଆକାଉଣ୍ଟରେ ସୂଚନା ଦେଇ କହିଛି ଯେ ସିକ୍ରେଟ୍ ସର୍ଭିସ୍ ଘଟଣାସ୍ଥଳରେ ତଦନ୍ତ ଚାଲାଇଛି ଏବଂ ଲୋକମାନଙ୍କୁ ସେଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ମଧ୍ୟ ଏହି ଅଞ୍ଚଳ ନିକଟରେ ଏକ ଗୁଳିକାଣ୍ଡ ଘଟିଥିଲା। ସେତେବେଳେ ପଶ୍ଚିମ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡର ଦୁଇ ଜଣ ସଦସ୍ୟଙ୍କୁ ଆକ୍ରମଣ କରାଯାଇଥିଲା। ସେହି ଘଟଣାରେ ସେନା ବିଶେଷଜ୍ଞ ସାରା ବେକଷ୍ଟ୍ରମ୍ ମୃତ୍ୟୁବରଣ କରିଥିବାବେଳେ ଆଣ୍ଡ୍ରୁ ୱୁଲ୍ଫ ଗୁରୁତର ଆହତ ହୋଇଥିଲେ।

