Thu. May 7th, 2026

ନ୍ୟୁଜ ଡେକ୍ସ : ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ପୁରା ଓଡ଼ିଶାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗି ରହିବ ।

ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ୧୬ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି ।ବିଶେଷକରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ଜୋର ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଜି ୧୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାରେ ପୁଣି ବର୍ଷାର ପ୍ରଭାବ ବଢିପାରେ ବୋଲି ସୂଚନା ମିଳିଛି । ସେପଟେ ଆସନ୍ତା ୬ରୁ ୭ ତାରିଖ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିର ପ୍ରଭାବ କମ୍ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *