Sat. Feb 21st, 2026

ନ୍ୟୁଜ ଡେକ୍ସ : ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ବଡ଼ ଶିଳ୍ପ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ THDC ଜଳବିଦ୍ୟୁତ ପ୍ରକଳ୍ପର TBM (ଟନେଲ୍ ବୋରିଂ ମେସିନ୍) ସାଇଟ୍‌ରେ ସିଫ୍ଟ ପରିବର୍ତ୍ତନ ସମୟରେ ଦୁଇଟି ଲୋକୋମୋଟିଭ୍ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା।ସୂଚନା ଅନୁଯାୟୀ, ସୁଡ଼ଙ୍ଗ ଭିତରେ କାମ କରୁଥିବା ଶ୍ରମିକମାନେ ଏକ ଟ୍ରେନ୍ ମାଧ୍ୟମରେ କାର୍ଯ୍ୟସ୍ଥଳକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଖାଲି ଟ୍ରେନ୍ ସହିତ ଧକ୍କା ଘଟିଥିଲା।

ଦୁର୍ଘଟଣା ସମୟରେ ସୁଡ଼ଙ୍ଗ ସ୍ଥଳରେ ୧୦୯ ଜଣ ଶ୍ରମିକ ଉପସ୍ଥିତ ଥିଲେ।ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏହି ଘଟଣାରେ ୮୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ୭୦ ଜଣଙ୍କୁ ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ସେଠାରେ ୬୬ ଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି, ଯେତେବେଳେ ହାଡ଼ଭଙ୍ଗା ହୋଇଥିବା ୪ ଜଣ ଶ୍ରମିକଙ୍କ ଚିକିତ୍ସା ଚାଲିଛି। ପିପଲକୋଟିର ବିବେକାନନ୍ଦ ହସ୍ପିଟାଲରେ ୧୮ ଜଣ ଆହତଙ୍କୁ ଚିକିତ୍ସା କରି ଡିସଚାର୍ଜ କରାଯାଇଛି।

୨୧ ଜଣ ଶ୍ରମିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସୂଚନା ପାଇବା ସହିତ ରିଲିଫ୍ ଓ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଚମୋଲିର ଏସପି କହିଛନ୍ତି ଯେ, ଖାଲି ଟ୍ରେନ୍‌ର ବ୍ରେକିଂ ସିଷ୍ଟମ୍‌ରେ ତ୍ରୁଟି ଥିବାରୁ ଏହି ଧକ୍କା ଘଟିଛି।ଆହତ ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ବୋଲି ସୂଚନା ମିଳିଛି। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *