ନ୍ୟୁଜ ଡେକ୍ସ : ରାଜ୍ୟରେ ତାତିର ପ୍ରକୋପ ଦିନକୁ ଦିନ ବଢ଼ିଚାଲିଛି। ଆଗାମୀ ସପ୍ତାହରେ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ଥିବାବେଳେ, ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ତାତିରୁ କୌଣସି ରାହାତ ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ପ୍ରବଳ ଗରମ ସହ ହିଟ୍ ୱେଭ୍ ସତର୍କତା ଜାରି ରହିଛି।ଆଜି ସୁନ୍ଦରଗଡ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ରାତି ସମୟରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ରାଜ୍ୟର ୧୦ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବାରୁ ପରିସ୍ଥିତି ଗମ୍ଭୀର ରହିଛି। ଆଜି ମଧ୍ୟ ଅନେକ ଅଞ୍ଚଳରେ ପ୍ରବଳ ଖରା ଗରମ ସହ ଗୁଳୁଗୁଳି ଅନୁଭୂତ ହୋଇଛି।ପ୍ରବଳ ଗରମ ଓ ଆଦ୍ରତାକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ପରିସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ସତର୍କତା ଜାରି ରହିବ।ସାରା ରାଜ୍ୟରେ ଏପରି ଅବସ୍ଥା ଚାଲିଥିବାରୁ ଲୋକମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

