ନ୍ୟୁଜ ଡେକ୍ସ : ଶୀତଋତୁ ଆସିଲେ ବଜାରରେ ଫଳମୂଳ ଓ ପନିପରିବାର ଭରପୂର ଆଗମନ ଦେଖିବାକୁ ମିଳେ। ଏ ସମୟରେ ଦର ମଧ୍ୟ କମ୍ ରହୁଥିବାରୁ ଲୋକମାନେ ସହଜରେ ଏହାକୁ କିଣିପାରନ୍ତି। ତେବେ ବଜାରରୁ କିଣା ପରିବା ତୁଳନାରେ ଘରେ ଲଗାଯାଇଥିବା ପନିପରିବା ଓ ଫଳ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
କାରଣ ବଜାରରେ ମିଳୁଥିବା ଅନେକ ପରିବାରେ ସାର ଓ ବିଷାକ୍ତ ରସାୟନ ବ୍ୟବହାର ହୋଇଥାଏ, ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ।ଏମିତି ପରିସ୍ଥିତିରେ ଶୀତଋତୁରେ ମିଳୁଥିବା ଗୋଟିଏ ଖାସ୍ ଓ ପୋଷ୍ଟିକ ଫଳ ହେଉଛି ‘କନ୍ଦମୂଳ’। ସ୍ୱାଦରେ ପରିପୂର୍ଣ୍ଣ ଏହି କନ୍ଦମୂଳରେ ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି-୬ ସହିତ ପୋଟାସିୟମ ଓ ମାଙ୍ଗାନିଜ୍ ଭଳି ଅନେକ ଆବଶ୍ୟକ ଖଣିଜ ତତ୍ତ୍ୱ ମିଳିଥାଏ। ଏହା ଶରୀରକୁ ପ୍ରୟାପ୍ତ ପୋଷଣ ଯୋଗାଇ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ଶୀତଋତୁରେ ପ୍ରତିଦିନ ଗୋଟିଏ କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ପୋଷକ ତତ୍ତ୍ୱ ମିଳିଥାଏ। କନ୍ଦମୂଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ଟାଇଟ୍ ଓ ଯୁବକ ରଖିବା ସହ ଫ୍ରି-ରାଡିକାଲ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରେ। ଏହା କିଛି ପୁରୁଣା ରୋଗ ସାରିବାରେ ମଧ୍ୟ ସାହାଯ୍ୟକାରୀ। କନ୍ଦମୂଳ ଆଖି ପାଇଁ ମଧ୍ୟ ବେଶ୍ ଲାଭଦାୟକ।
ଏଥିରେ ଥିବା ଭିଟାମିନ୍ ଏ ଓ ବିଟା-କ୍ୟାରୋଟିନ୍ ଦୃଷ୍ଟିଶକ୍ତିକୁ ସୁଦୃଢ଼ କରିବା ସହ ଷ୍ଟ୍ରେସ କମାଇଥାଏ। ସେହିପରି ଏହା ହଜମ ପ୍ରକ୍ରିୟାକୁ ସୁଧାରିବା ସହ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରେ।ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ କନ୍ଦମୂଳ ଉପଯୁକ୍ତ ବୋଲି କୁହାଯାଏ। ଅନ୍ୟ ଫଳ ତୁଳନାରେ ଏଥିରେ ମିଠାର ପରିମାଣ କମ୍ ଥିବାରୁ ଡାଇବେଟିସ୍ ରୋଗୀମାନେ ନିର୍ଭୟରେ ଏହାକୁ ଖାଇପାରନ୍ତି। ସିଜାଇ, ରୋଷେଇରେ ବ୍ୟବହାର କିମ୍ବା ପୋଡ଼ି—ବିଭିନ୍ନ ଉପାୟରେ କନ୍ଦମୂଳ ଖାଇପାରିବେ।

