Sat. Feb 21st, 2026

ନ୍ୟୁଜ ଡେକ୍ସ : ନୂଆବର୍ଷ ଆରମ୍ଭ ହେବା ସହ ରାଜଧାନୀରେ ପୁଣି ଏକ ଛାତିଥରା ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ରୁପାଲି ଛକରେ ଦ୍ରୁତ ଗତିରେ ଆସୁଥିବା ‘ଆମ ବସ୍’ ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଅଟୋଟି ସାମ୍ନାରେ ଥିବା ଆଉ ଏକ ବସ୍‌ରେ ଚାପି ହୋଇଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଖବର ଅନୁସାରେ, ଆମ ବସ୍‌ର ବେପରୁଆ ଓ ଅସାବଧାନ ଡ୍ରାଇଭିଂ ଦୁର୍ଘଟଣାର ମୂଳ କାରଣ ବୋଲି କୁହାଯାଉଛି। ବସ୍‌ ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା। ଘଟଣା ପରେ ଆମ ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।ଦୁର୍ଘଟଣା ପରେ ରୁପାଲି ଛକରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଡିସିପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ପୋଲିସ ପକ୍ଷରୁ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି ଏବଂ ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ତଲାଶ ଚାଲିଛି।

ଲକ୍ଷଣୀୟ ଯେ, ବାରମ୍ବାର ‘ଆମ ବସ୍’ ଧକ୍କାରେ ଲୋକଙ୍କ ଜୀବନ ଯାଉଥିବା ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିବାବେଳେ, ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହେବା ସମୟରେ ଏଭଳି ଘଟଣା ଘଟିବାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। “ଆମ ବସ୍ ନୁହେଁ, ଯମ ବସ୍”—ବୋଲି ରାଜଧାନୀବାସୀ ଆକ୍ରୋଶ ପ୍ରକାଶ କରୁଛନ୍ତି।

ଆମ ବସ୍ ଡ୍ରାଇଭରମାନଙ୍କୁ କାହିଁକି ଯଥାପ୍ରକାରେ ସଚେତନ କରାଯାଉନାହିଁ ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉନାହିଁ—ସେନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ଏହି ଦୁର୍ଘଟଣା ପୁଣିଥରେ ସହରର ସଡକ ସୁରକ୍ଷା ଓ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *