Sat. Feb 21st, 2026

ନ୍ୟୁଜ ଡେକ୍ସ : ପୁଣିଥରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ଆଜି ଶ୍ରୀମନ୍ଦିର ସୁରକ୍ଷାରେ ଏକ ଗମ୍ଭୀର ତ୍ରୁଟି ପରିଲକ୍ଷିତ ହୋଇଛି। ଜଣେ ଅଜଣା ବ୍ୟକ୍ତି ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଘଟଣା ସାମ୍ନାକୁ ଆସିଛି।ଖବର ଅନୁସାରେ, ଆଜି ସକାଳ ସମୟରେ ଜଣେ ପ୍ରତିହାରୀ ସେବକ ଶ୍ରୀମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ।

ଭୋଗ ମଣ୍ଡପ ଦ୍ୱାର ନିକଟରେ ଏହି ଜୋତା ରହିଥିବାକୁ ସେ ଦେଖିଥିଲେ। ମନ୍ଦିର ପରିସରରେ ଜୋତା ରହିଥିବା ଦେଖି ସେ ତୁରନ୍ତ ଏହାକୁ ହାତରେ ଧରି ବାହାରକୁ ଆଣିଥିଲେ।ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ କଡା ସୁରକ୍ଷା ବ୍ୟବସ୍ଥା, ମେଟାଲ ଡିଟେକ୍ଟର, ସୁରକ୍ଷା କର୍ମୀ ଓ ସିସିଟିଭି ନିରୀକ୍ଷଣ ସତ୍ତ୍ୱେ କିପରି ଜଣେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିପାରିଲେ—ସେନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଘଟଣା ପରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ସତ୍ୟତା ଓ ଦୋଷୀଙ୍କ ପରିଚୟ ଉଦ୍‌ଘାଟନ କରିବାକୁ ପ୍ରଶାସନକୁ ଦାବି କରାଯାଇଛି।ଏହି ଘଟଣା ଶ୍ରୀମନ୍ଦିରର ପବିତ୍ରତା ଓ ସୁରକ୍ଷାକୁ ନେଇ ଭକ୍ତମାନଙ୍କ ମନରେ ଚିନ୍ତା ବଢ଼ାଇଦେଇଥିବାବେଳେ, ପ୍ରଶାସନ ପକ୍ଷରୁ ଏନେଇ କି ପଦକ୍ଷେପ ନିଆଯିବ—ସେଥିପାଇଁ ସମସ୍ତେ ଅପେକ୍ଷା କରିରହିଛନ୍ତି।

Leave a Reply

Your email address will not be published. Required fields are marked *