ନ୍ୟୁଜ ଡେକ୍ସ : ଶୀତୁଆ ସକାଳରେ ରାଜଧାନୀ ଭୁବନେଶ୍ୱରରେ ପଥ ଉତ୍ସବ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଥ ଉତ୍ସବର ଶୁଭାରମ୍ଭ କରାଯାଇଛି। ମାଷ୍ଟର୍ କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଜନପଥ ରାସ୍ତାରେ ନାଚ–ଗୀତର ମହାରୋଲ ଦେଖିବାକୁ ମିଳିଛି।ଓଡ଼ିଶୀ ଓ ମଡର୍ନ ଡ୍ୟାନ୍ସର ତାଳେ ତାଳେ ମତୁଆଲା ହୋଇପଡ଼ିଛନ୍ତି ଦର୍ଶକ।
ରଙ୍ଗୋଲିରେ ସଜି ଉଠିଛି ଜନପଥ। ଜୁମ୍ବା, ଯୋଗ, ସ୍କେଟିଂ ସହ ବିଭିନ୍ନ ପ୍ରକାରର ଗେମ୍ସ, ଷ୍ଟ୍ରିଟ୍ ପ୍ଲେ ଓ ପାରମ୍ପରିକ ନୃତ୍ୟରେ ରାଜଧାନୀର ରାଜରାସ୍ତା ଦୁଲୁକୁଛି। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସାଧାରଣ ଲୋକଙ୍କୁ ସ୍ୱସ୍ଥ ମନୋରଞ୍ଜନ ଦେବା ଏହି ପଥ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।ସବୁ ବର୍ଗର ମହିଳା–ପୁରୁଷ, ଶିଶୁ ଓ ଯୁବକ–ଯୁବତୀଙ୍କ ପାଇଁ ଏହି ଉତ୍ସବ ବିଶେଷ ଆକର୍ଷଣ ସୃଷ୍ଟି କରିଛି।
ବର୍ଷର ପ୍ରଥମ ପଥ ଉତ୍ସବ ଅବସରରେ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ମାଷ୍ଟର୍ କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଥିଲା। ସେହି ସମୟ ମଧ୍ୟରେ ଏହି ରାସ୍ତା ଦେଇ ଯାତାୟତ ନ କରିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

