Sat. Feb 21st, 2026

ନ୍ୟୁଜ ଡେକ୍ସ : ୧୧ ଦିନ ଧରି ଚାଲିଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଭବ୍ୟ ଭାବେ ଉଦ୍‌ଯାପିତ ହୋଇଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ରହିଥିଲା। ଅନୁକୁଳ ପାଗ ଓ କଳାକାରମାନଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇପଡ଼ିଥିଲା।ମଥୁରା ପରିଭ୍ରମଣ ସାରି କଂସ ମହାରାଜା ସ୍ଥାନୀୟ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜଦରବାରକୁ ପହଞ୍ଚିଥିଲେ।

ଶ୍ରୀକୃଷ୍ଣ ଓ ବଳରାମଙ୍କୁ ହତ୍ୟା କରିବା ପାଇଁ ସେ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହ ରଣକୌଶଳ ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦା ମଞ୍ଚରେ ଶିବଧନୁ ଭଙ୍ଗ କରିଥିବାବେଳେ ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା।ଦରବାରରେ କଂସଙ୍କ ସେନାପତି, ମହାମନ୍ତ୍ରୀ, ଚାଣୁର ଓ ମୁଷ୍ଟିକ ନିଜ ପରାକ୍ରମ ପ୍ରଦର୍ଶନ କରି ବେନିଭାଇଙ୍କୁ ହତ୍ୟା କରିବାରେ ସକ୍ଷମ ହେବେ ବୋଲି ଦାବି କରିଥିଲେ। ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ୱେ କଂସ ମହାରାଜ ନିଜେ ରଣାଙ୍ଗନକୁ ଓହ୍ଲାଇଥିଲେ। ଶେଷରେ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଓ ବଳରାମଙ୍କ ହଳଧର ମୁଦଗରରେ କଂସଙ୍କ ନିଧନ ହୋଇଥିଲା। ଏହାପରେ ମହାରାଜା ଉଗ୍ରସେନଙ୍କ ପୁନଃ ରାଜାଭିଷେକ ସମ୍ପନ୍ନ ହୋଇଥିଲା।ପରେ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗାରକୁ ଯାଇ ବନ୍ଦୀ ଥିବା ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ।

ଏହି ଶୁଭ ଅବସରରେ ମଥୁରାବାସୀ ବାଣ ଫୁଟାଇ ଓ ଲଡୁ ବାଣ୍ଟି ଆନନ୍ଦ ଉତ୍ସବ ପାଳନ କରିଥିଲେ।ଶେଷରେ କଂସ ଅଭିନେତା ସୁଶିଲ ମେହେର ପାପମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ଆଜି ସେ ମହୋଦଧିରେ ସ୍ନାନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ସେହିପରି ପାତ୍ରମନ୍ତ୍ରୀ ଓ ସେନାପତି ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ବରଗଡ଼ ଜିଲାର ପାଇକମାଳ ବ୍ଲକ ଅନ୍ତର୍ଗତ ନୃସିଂହନାଥକୁ ଯାଇ ଗୋକୁଣ୍ଡ ଘାଟରେ ସ୍ନାନ ସହ ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *