ନ୍ୟୁଜ ଡେକ୍ସ : ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରସ୍ଥିତ ଜେଇସିଆର୍ସି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଜେଇସିଆର୍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ତାଙ୍କୁ ଏହି ଗରିମାମୟ ସମ୍ମାନ ଦିଆଯାଇଥିଲା। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍, ଯାହା ତାଙ୍କର ଦୀର୍ଘବର୍ଷର ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରେ।
ଶିକ୍ଷା ମାଧ୍ୟମରେ ସମାଜର ସର୍ବାଙ୍ଗୀଣ ବିକାଶ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ଜେଇସିଆର୍ସି ବିଶ୍ୱବିଦ୍ୟାଳୟର ଶିକ୍ଷା ପରିଷଦ ଓ ପରିଚାଳନା ବୋର୍ଡ ସର୍ବସମ୍ମତି କ୍ରମେ ତାଙ୍କ ନାମକୁ ସୁପାରିଶ କରିଥିଲେ। ଏହା ପରେ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ବହୁ ବିଶିଷ୍ଟ ଅତିଥି, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ସମାବର୍ତ୍ତନ ଉତ୍ସବରେ ଜେଇସିଆର୍ସି ବିଶ୍ୱବିଦ୍ୟାଳୟର ଚେୟାରପର୍ସନ ଓ. ପି. ଅଗ୍ରୱାଲ୍ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଜେଇସିଆର୍ସି ଫାଉଣ୍ଡେସନ୍ ଗତ ୨୫ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ସକ୍ରିୟ ରହିଛି ଏବଂ ବର୍ତ୍ତମାନ ଏଠାରେ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ସମାବର୍ତ୍ତନ ଉତ୍ସବ ଅବସରରେ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ସମ୍ମାନ ପାଇଁ ସେ ଜେଇସିଆର୍ସି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଗତ ୩ ଦଶନ୍ଧିରୁ ଅଧିକ ସମୟ ଧରି ସେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ନିରନ୍ତର କାମ କରିଆସୁଛନ୍ତି। ଏପରି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଶିକ୍ଷା ଓ ସମାଜ ସେବାରେ ଆହୁରି ନିଷ୍ଠାର ସହ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।

