ନ୍ୟୁଜ ଡେକ୍ସ : ନୂଆବର୍ଷର ପ୍ରଥମ ରବିବାର ଦିନ ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ଅଞ୍ଚଳରେ ଟ୍ରକ୍ ସହ କାର୍ ଧକ୍କା ହେବାରୁ ଜଣେ ଶିଶୁକନ୍ୟା ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ସମସ୍ତେ ଓଡ଼ିଆ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇ ଶ୍ରୀକାକୁଲମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମୃତକମାନେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି।ସୂଚନାନୁସାରେ, ଭୁବନେଶ୍ୱରର ଗୋଟିଏ ପରିବାର OD-01W-8485 ନମ୍ବର ବିଶିଷ୍ଟ କାର୍ରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ ହଠାତ୍ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ ସାମ୍ନାପଟୁ କାର୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଦୁର୍ଘଟଣାଗ୍ରସ୍ତ କାର୍କୁ ପୋଲିସ ଜବତ କରିଛି। ତେବେ ଟ୍ରକ୍ଟିକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରି ନାହିଁ। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

