ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଥିବା ବେଳେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୧୦ଟା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଦୃଶ୍ୟମାନ ବହୁତ କମ୍ ରହୁଥିବାରୁ ରାସ୍ତାରେ ଯାତାୟାତ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଜାତୀୟ ଓ ରାଜ୍ୟ ରାଜପଥରେ ଯାନବାହନ ଧୀରେ ଚଳାଚଳ କରୁଥିବା ଦେଖାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ଜାରି ରହିବ। ସେହିପରି ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିଅସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ବିଭାଗ ଆକଳନ କରିଛି ଯେ ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ିର ପ୍ରଭାବ ଦେଖାଯିବ।ଆଜି ସକାଳେ ଯାଜପୁର ଓ ନୟାଗଡ଼ ଜିଲ୍ଲାକୁ ଘନରୁ ଅତି ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ରାତି ତାପମାତ୍ରା ଦୃଷ୍ଟିରୁ ଘୁ. ଉଦୟଗିରିରେ ସବୁଠାରୁ କମ୍ ୬.୪ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୮.୫, ଦାରିଙ୍ଗବାଡ଼ିରେ ୮, ସେମିଳିଗୁଡ଼ାରେ ୯.୧, ଭୁବନେଶ୍ୱରରେ ୧୭.୬ ଏବଂ କଟକରେ ୧୫.୪ ଡିଗ୍ରି ସେଲସିଅସ୍ ରହିଛି।
ଯାଜପୁର, ଜଗତସିଂହପୁର, ଭୁବନେଶ୍ୱର, ଗୋପାଳପୁର, ଖୋର୍ଦ୍ଧା, ଢେଙ୍କାନାଳ, ଫୁଲବାଣୀ, ଚାନ୍ଦବାଲି, ପାରାଦ୍ୱୀପ, କେନ୍ଦ୍ରାପଡ଼ା, ବାରିପଦା, ରାଉରକେଲା ଓ ଭବାନୀପାଟଣାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି।ପାଣିପାଗ ବିଭାଗ ଲୋକମାନଙ୍କୁ ସକାଳେ ଯାତାୟାତ ସମୟରେ ସତର୍କ ରହିବା, ଯାନବାହନ ଧୀରେ ଚଳାଇବା ଏବଂ ଶୀତରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି।

