Sun. Feb 22nd, 2026

ନ୍ୟୁଜ ଡେକ୍ସ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗସ୍ଥିତ ପିଏମ୍‌ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ରୋଗ ପ୍ରସାରକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି ବିଦ୍ୟାଳୟର ଅନେକ ଛାତ୍ର ଏହି ରୋଗରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଏବଂ ଅଭିଭାବକ ମହଳରେ ଆତଙ୍କ ଖେଳିଯାଇଛି। ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି।

ଏହାସହ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଘରକୁ ନେଇଯିବାକୁ ଅଭିଭାବକମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ପ୍ରଥମେ ୬ ଜଣ ଛାତ୍ରଙ୍କ ଠାରେ ଜଣ୍ଡିସ ରୋଗ ଚିହ୍ନଟ ହୋଇଥିଲା। ଏହା ପରେ ଡିସେମ୍ବର ମାସରେ ଆଉ ୧୩ ଜଣ ଛାତ୍ର ଏହି ରୋଗରେ ପୀଡ଼ିତ ହେଲେ। ଗତ ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଛାତ୍ରଙ୍କ ଠାରେ ଜଣ୍ଡିସ ଚିହ୍ନଟ ହୋଇଥିବା ବେଳେ, ଚଳିତ ଜାନୁଆରୀ ମାସରେ ରୋଗୀ ସଂଖ୍ୟା ହଠାତ୍ ବଢ଼ି ୪୦କୁ ଛୁଇଁଥିବା ବିଦ୍ୟାଳୟର ଷ୍ଟାଫ୍ ନର୍ସ ଶାନ୍ତିଲତା ବସ୍ତିଆ ସୂଚନା ଦେଇଛନ୍ତି।

ତେବେ ବେସରକାରୀ ଭାବେ ଆକ୍ରାନ୍ତ ଛାତ୍ରଙ୍କ ସଂଖ୍ୟା ୭୦ରୁ ଅଧିକ ହେବାର ଆଶଙ୍କା ପ୍ରକାଶ ପାଉଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ବିଦ୍ୟାଳୟକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିବା ସହ ପାଣି, ଖାଦ୍ୟ ଓ ପରିବେଶର ନମୁନା ସଂଗ୍ରହ କରିଛନ୍ତି। ରୋଗ ପ୍ରସାରର କାରଣ ଖୋଜିବା ପାଇଁ ଉଚିତ୍ ପଦକ୍ଷେପ ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଏହା ସହିତ ଦିଲ୍ଲୀ ଓ ଭୋପାଲରୁ ଆସିଥିବା ନବୋଦୟ ସମିତିର ଉଚ୍ଚସ୍ତରୀୟ ଅଧିକାରୀ ଟିମ୍ ମଧ୍ୟ ବିଦ୍ୟାଳୟରେ ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ ଛାତ୍ରାବାସ, ରନ୍ଧନଶାଳା, ପାଣି ସରବରାହ ବ୍ୟବସ୍ଥା ଓ ସ୍ୱଚ୍ଛତା ପରିସ୍ଥିତିର ଯାଞ୍ଚ କରୁଛନ୍ତି।ଅଭିଭାବକମାନେ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଥିବା ବେଳେ, ଶୀଘ୍ର ସମ୍ପୂର୍ଣ୍ଣ ତଦନ୍ତ କରି ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏପରି ଘଟଣା ନ ଘଟିବାକୁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *