ନ୍ୟୁଜ ଡେକ୍ସ : ସକାଳ ଓ ସନ୍ଧ୍ୟାରେ ସୁଲୁସୁଲିଆ ପବନ ସହ ଘନ କୁହୁଡ଼ି ମଧ୍ୟରେ ରାଜଧାନୀର ଶୀତ ଦିନ ଆହୁରି ଆନନ୍ଦମୟ ହୋଇଉଠିଛି। ଏହି ସମୟରେ ରାଜଧାନୀର ବିଭିନ୍ନ ସ୍ଥାନରେ ନାନା ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ପୁଷ୍ପ ପ୍ରଦର୍ଶନୀ ଲୋକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହୋଇଥାଏ। ଶୀତ ଋତୁ ଆସିଲେ ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ସରକାରୀ ବାସଭବନ ପର୍ଯ୍ୟନ୍ତ ସବୁଠି ରଙ୍ଗବେରଙ୍ଗର ଫୁଲର ସଜାବଟି ଦେଖିବାକୁ ମିଳେ।
ବିଭିନ୍ନ ସ୍ଥାନରେ ପୁଷ୍ପ ପ୍ରଦର୍ଶନୀ ସହିତ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି, ଯେଉଁଠି ସାଧାରଣ ଲୋକ ଫୁଲ ଦେଖିବା ସହ କିଣିବାର ସୁଯୋଗ ପାଇଥାନ୍ତି।ଏହି କ୍ରମରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଆସନ୍ତା ଜାନୁଆରୀ ୯ ତାରିଖରୁ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହେବ। ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ଓ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜିତ ହେଉଛି।ପ୍ରତିବର୍ଷ ଦୁଇ ଦିନ ଧରି ହେଉଥିବା ଏହି କାର୍ଯ୍ୟକ୍ରମ ଏଥର ତିନି ଦିନ ଚାଲିବ।
ଶୁକ୍ରବାର ଆରମ୍ଭ ହୋଇ ରବିବାର ପର୍ଯ୍ୟନ୍ତ ପ୍ରଦର୍ଶନୀ ଚାଲିବ। ଅର୍କିଡ୍, ଲିଲିୟମ୍ ସହିତ ଅନେକ ଦେଶୀ ଓ ବିଦେଶୀ ଫୁଲ ଦର୍ଶକଙ୍କ ଆକର୍ଷଣ ସାଜିବ। ସାଧାରଣ ଲୋକ ମାଗଣାରେ ଏହି ପୁଷ୍ପ ପ୍ରଦର୍ଶନୀ ଦେଖିପାରିବେ।ଏହାସହ ଜାନୁଆରୀ ୧୦ ତାରିଖରୁ ରାଜଭବନ ଉଦ୍ୟାନ ସାଧାରଣ ଦର୍ଶକଙ୍କ ପାଇଁ ଖୋଲାଯିବ। ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଅନଲାଇନ୍ ଟିକଟ୍ ବୁକିଂ ମାଧ୍ୟମରେ ରାଜଭବନ ଉଦ୍ୟାନ ବୁଲିବାର ସୁଯୋଗ ପାଇବେ।

