Sun. Feb 22nd, 2026

ନ୍ୟୁଜ ଡେକ୍ସ : ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ (ଆରଡି) ପରେଡ୍‌ରେ ଭାଗ ନେବା ପାଇଁ ନବରଙ୍ଗପୁର କଲେଜର ୬ ଜଣ ଏନସିସି କ୍ୟାଡେଟ୍‌ ମନୋନୀତ ହୋଇଥିବାରୁ କଲେଜ ଓ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି। ଦୀର୍ଘ ୬ ମାସ ଧରି କଠିନ ପରିଶ୍ରମ, ଶିସ୍ଟାଚାର ଓ ଅଭ୍ୟାସର ପରିଣାମ ସ୍ୱରୂପ ସେମାନେ ଦେଶର ସର୍ବୋଚ୍ଚ ପରେଡ୍‌ରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ପାଇଛନ୍ତି।

ଦିଲ୍ଲୀ ଆରଡି ପରେଡ୍ ପାଇଁ ମନୋନୀତ କ୍ୟାଡେଟ୍‌ମାନେ ହେଲେ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଛାତ୍ର ଓ କମ୍ପାନି କ୍ୱାର୍ଟରମାଷ୍ଟର ସର୍ଜେଣ୍ଟ ଆଦର୍ଶ ପ୍ରତ୍ୟୁଷ କର୍କରା, ଯୁକ୍ତ ୩ ରାଜନୀତି ବିଜ୍ଞାନ ଛାତ୍ର ଓ ଜୁନିୟର ଅଣ୍ଡର ଅଫିସର ମାରୁତି ହରିଜନ, ଯୁକ୍ତ ୩ ଓଡ଼ିଆ ବିଭାଗର ପାଉଲ ସୁନା, ଯୁକ୍ତ ୩ ଇତିହାସ ଛାତ୍ର କୃଷ୍ଣ ଜାନୀ, ଯୁକ୍ତ ୩ ଇଂରାଜୀ ବିଭାଗର କର୍ପୋରାଲ ଯୋଗେଶ୍ୱର ମାଝୀ ଓ ଯୁକ୍ତ ୩ ରାଜନୀତି ବିଜ୍ଞାନର ଲାନ୍ସ କର୍ପୋରାଲ ଲକ୍ଷ୍ମଣ ଗୌଡ।କ୍ୟାଡେଟ୍ ଆଦର୍ଶ ପ୍ରତ୍ୟୁଷ କର୍କରା ଗାର୍ଡ-ଅଫ୍-ଅନର ପରେଡ୍ ପାଇଁ ମନୋନୀତ ହୋଇଥିବା ବେଳେ, ମାରୁତି ହରିଜନ କର୍ତ୍ତବ୍ୟପଥରେ ହେବାକୁ ଥିବା ପରେଡ୍‌ରେ ଭାଗ ନେବେ।

ପାଉଲ ସୁନା କଳା ଓ ସଂସ୍କୃତି କାର୍ଯ୍ୟକ୍ରମ ସହ ସଙ୍ଗୀତ ପରିବେଷଣ କରିବେ। ସେହିପରି କୃଷ୍ଣ ଜାନୀ, ଯୋଗେଶ୍ୱର ମାଝୀ ଓ ଲକ୍ଷ୍ମଣ ଗୌଡ ପ୍ରଧାନମନ୍ତ୍ରୀ ରାଲିରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।ସୂଚନା ଅନୁଯାୟୀ, ଏହି କ୍ୟାଡେଟ୍‌ମାନେ ତ୍ରିସ୍ତରୀୟ ଚୟନ ପ୍ରକ୍ରିୟାରେ ପ୍ରଥମେ ନବରଙ୍ଗପୁର, ପରେ ବ୍ରହ୍ମପୁର ଓ ଭୁବନେଶ୍ୱରରେ ହୋଇଥିବା ଚୟନ ଶିବିରରେ ସଫଳତା ହାସଲ କରିଥିଲେ। ଏହାପରେ ସେମାନଙ୍କୁ ଦିଲ୍ଲୀର ଆରଡି ପରେଡ୍‌ ପାଇଁ ମନୋନୀତ କରାଯାଇଛି।

ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୧୨୭ ଏନସିସି କ୍ୟାଡେଟ୍ ଦିଲ୍ଲୀ ପାଇଁ ଚୟନିତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୬ ଜଣ କ୍ୟାଡେଟ୍ ରହିବା କଲେଜ ଓ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ଏନସିସି ଶିକ୍ଷକ ରହିମ ଖରା କହିଛନ୍ତି।ଏହି ଉପଲକ୍ଷ୍ୟରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, କଲେଜ ଅଧ୍ୟକ୍ଷ ଡି. ଗୋବି ଗୋବିନ୍ଦ ରାଓ ଓ ଏନସିସି ଅଧିକାରୀମାନେ ଦିଲ୍ଲୀ ଗସ୍ତରେ ଯାଇଥିବା କ୍ୟାଡେଟ୍‌ମାନଙ୍କୁ ଶୁଭେଚ୍ଛା ଓ ସଫଳତାର କାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *