Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଶିଳ୍ପ ବିକାଶକୁ ନୂଆ ଗତି ଦେବା ଦିଗରେ ଆଜି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ (HLCA)ର ୪୩ତମ ବୈଠକରେ ମୋଟ ୫୫,୭୮୩ କୋଟି ଟଙ୍କା ନିବେଶ ମୂଲ୍ୟର ୭ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୪,୫୦୭ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି।

ଅନୁମୋଦିତ ପ୍ରକଳ୍ପମାନଙ୍କ ମଧ୍ୟରେ ଇସ୍ପାତ, ଅଟୋମୋବାଇଲ୍ ଏବଂ ଅଟୋ-ଉପାଦାନ, ସେମିକଣ୍ଡକ୍ଟର, ଶିଳ୍ପ ଗ୍ୟାସ୍, ଫେରୋଆଲଏଜ୍, ବିଦ୍ୟୁତ୍ ସହିତ ନବୀକରଣୀୟ ଶକ୍ତି କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଏହାଗୁଡ଼ିକ ଢେଙ୍କାନାଳ, ଗଞ୍ଜାମ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପିତ ହେବ।ଢେଙ୍କାନାଳ ଜିଲ୍ଲାରେ JSW ଗ୍ରୁପ୍‌ର ସହଯୋଗୀ କମ୍ପାନୀ ସାଫ୍ରନ୍ ରିସୋର୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ ୩୫,୦୦୦ କୋଟି ଟଙ୍କା ନିବେଶରେ ୬ MTPA କ୍ଷମତା ବିଶିଷ୍ଟ ଏକ ବଡ଼ ଇସ୍ପାତ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୮,୦୦୦ ଲୋକଙ୍କୁ କାମ ମିଳିବାର ସମ୍ଭାବନା ରହିଛି। ସେହିପରି ଇନୋକ୍ସ ଏୟାର୍ ପ୍ରଡକ୍ଟସ୍ ଓ ଜିଏମଆର୍ କମଳାଙ୍ଗା ଏନର୍ଜି ମଧ୍ୟ ଏହି ଜିଲ୍ଲାରେ ନିଜ ନିଜ ପ୍ରକଳ୍ପ ସ୍ଥାପନ କରିବେ।

ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ୍ ପକ୍ଷରୁ ଢେଙ୍କାନାଳରେ ୩୫୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ୨,୧୩୬.୦୨ କୋଟି ଟଙ୍କା ନିବେଶ କରାଯିବ। ଏହା ଦ୍ୱାରା ୩୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବା ସହ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ।ସେହିପରି ଜିନ୍ଦଲ ପଲି ଫିଲ୍ମସ ଲିମିଟେଡ୍ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ଟାଇଟାନିୟମ୍ ଡାଇଅକ୍ସାଇଡ୍ ପିଗମେଣ୍ଟ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଅଟୋ-କମ୍ପୋନେଣ୍ଟ କ୍ଷେତ୍ରରେ ମଧ୍ୟ ନୂଆ ନିବେଶ ହେବ।

ସାନକୋଡ୍ ସେମି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସେମିକଣ୍ଡକ୍ଟର ଆସେମ୍ବଲି ଓ ଟେଷ୍ଟିଂ (OSAT) ୟୁନିଟ୍ ସ୍ଥାପନ ହେବାକୁ ଯାଉଥିବାବେଳେ ଫେରୋ ଆଲଏଜ୍ କର୍ପୋରେସନ୍ ଲିମିଟେଡ୍ ୨,୦୦୦ କୋଟି ଟଙ୍କା ନିବେଶରେ ଫେରୋଆଲଏଜ୍ ପ୍ଲାଣ୍ଟ ସହ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଗଢ଼ିବ।ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିଗୁଡ଼ିକ ଓଡ଼ିଶାର ଶିଳ୍ପୀକରଣକୁ ନୂଆ ଦିଗ ଦେବା ସହ ବଡ଼ ପରିମାଣର ନିବେଶ ଆକର୍ଷଣ କରିବ। ଏହା ଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *