Mon. Dec 23rd, 2024

ନ୍ୟୁଜ ଡେସ୍କ: ସରି ସରି ଆସିଲାଣି ଦିନ। ମେଲାଣି ନେବେ ମାଆ। ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଦୁର୍ଗତୀନାଶିନୀ ମା’ ଦୁର୍ଗା। ଆଜି ମା’ଙ୍କର ବିଜୟା ଦଶମୀ । ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ ।

ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ପୂଜା ମଣ୍ଡପ। ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପ ନିକଟରେ ଲାଇନ ଲଗାଇଛନ୍ତି। କୁହାଯାଏ ଆଜିର ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ସମସ୍ତ ପୂଜା ମଣ୍ଡପ ଗୁଡିକରେ ଜଗତଜନନୀ ଦେବୀ ଦୁର୍ଗାଙ୍କର ବିଜୟାଦଶମୀ ପୂଜାର୍ଚ୍ଚନା ଜାରି ରହିଛି । ଏହା ପରେ ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ । କିମ୍ବଦନ୍ତୀ ଅନୁଯାୟୀ ମହିଷାସୁରର ଅତ୍ୟାଚାର ଅସହ୍ୟ ହେବାରୁ ଦେବତାମାନେ ଦୁର୍ଗାଙ୍କୁ ଆବାହନ କରିଥିଲେ । ଦେବୀ ଦୁର୍ଗା ସିଂହବାହିନୀ ସାଜି ମହିଷାସୁରକୁ ବଦ୍ଧ କରିଥିଲେ ।

ଆଶ୍ୱୀନ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀ ସନ୍ଧିକ୍ଷଣରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତେବେ ଦଶହରା ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ମାତୃଶକ୍ତି ବନଦୁର୍ଗାଙ୍କୁ ପୂଜା କରି ପ୍ରବଳ ପ୍ରତାପୀ ରାବଣକୁ ବଦ୍ଧ କରିଥିଲେ । ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ରାବଣ ପୋଡି ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *