ନ୍ୟୁଜ ଡେକ୍ସ : ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଆତଙ୍କରାଜ୍। ମୁହଁରେ ମାସ୍କ ଓ ହାତରେ ମାରଣାସ୍ତ୍ର ଧରି ସର୍ବସାମ୍ନାରେ ଆକ୍ରମଣ କରାଯାଉଥିବା ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଗତକାଲି ରାତିରେ ରାଜଧାନୀର ଓମ ସାଇ ବିହାର ଅଞ୍ଚଳରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଛି।ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇ ଏହା ହିଂସାତ୍ମକ ରୂପ ନେଇଥିଲା।
ଦୁର୍ବୃତ୍ତମାନେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁଇ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଥିଲେ। ଏହି ଆକ୍ରମଣରେ ସୋନୁ ମହାନ୍ତି ଗୁରୁତର ଆହତ ହୋଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଜଟିଳ ରହିଛି।ଆତଙ୍କ ସୃଷ୍ଟି କରିବା ପରେ ଦୁର୍ବୃତ୍ତମାନେ ଓମ ସାଇ ବିହାର ଆପାର୍ଟମେଣ୍ଟ ଭିତରେ ଲୁଚିଥିବା ସୂଚନା ମିଳିବା ପରେ ପୋଲିସ ସେଠାରେ ନାକାବନ୍ଦୀ କରିଥିଲା। ଏକ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି, ଯେତେବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି।
ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ଥିବାରୁ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଛି।ସୂଚନା ଅନୁଯାୟୀ, ପ୍ରାୟ ୨୦ ଜଣ ଯୁବକ ସଂଘବଦ୍ଧ ଭାବେ ଏହି ଆକ୍ରମଣ କରିଥିଲେ। ଘଟଣା ପରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କରାଯାଇଛି।

