Sat. Feb 21st, 2026

ନ୍ୟୁଜ ଡେକ୍ସ : କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଘନ କୁହୁଡ଼ି। ଆଜି ସକାଳୁ ଭୁବନେଶ୍ୱର, କଟକ, ପୁରୀ ଓ କୋଣାର୍କ ସହ ଅନେକ ଅଞ୍ଚଳ ଘନ କୁହୁଡ଼ିରେ ଢାକିଯାଇଥିଲା। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ ଠିକ୍‌ଭାବେ ଦେଖାଯାଉନଥିବାରୁ ଗାଡ଼ିଚାଳକମାନେ ଲାଇଟ୍ ଜଳାଇ ଯାତାୟାତ କରୁଥିଲେ। କୋଣାର୍କର ବ୍ଲାକ ପାଗୋଡା ମଧ୍ୟ କୁହୁଡ଼ିରେ ଢାଙ୍କି ଯାଇଥିଲା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିବାର ସମ୍ଭାବନା ରହିଛି। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତର ପ୍ରଭାବ କମିବ ବୋଲି ଆକଳନ କରାଯାଇଛି।ହେଲେ ବିସ୍ତାରିତ ଆକଳନରେ କୁହାଯାଇଛି ଯେ, ଆସନ୍ତା ଦୁଇ ସପ୍ତାହ—(୨୨ରୁ ୨୮ ତାରିଖ) ଏବଂ (୨୯ରୁ ୪ ତାରିଖ) ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୫ ଡିଗ୍ରୀ କମ୍ ରହିପାରେ।ଶନିବାର ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଥିବାବେଳେ, ଅନୁଗୁଳରେ ୧୦, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୧୧, ବରଗଡ଼, ନୂଆପଡ଼ା ଓ ମାଲକାନଗିରିରେ ୧୨ ଡିଗ୍ରୀ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ କହିଛି ଯେ, ୨୭ ତାରିଖରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ଅଧିକ ରହିପାରେ। ଏହାସହ ଜି.ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ରୂପେ ରେକର୍ଡ ହୋଇଥିଲା, ଯେଉଁଠାରେ ପାରଦ ୫ ଡିଗ୍ରୀ ସେଲସିୟସ୍‌କୁ ଖସିଥିଲା।ଘନ କୁହୁଡ଼ି ଓ ଶୀତର ପ୍ରଭାବ ଦେଖି ଯାତାୟାତରେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଓ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *