ନ୍ୟୁଜ ଡେକ୍ସ : “ଆଜିର ୩୦ ସେକେଣ୍ଡର ରିଲ୍ ମସ୍ତିଷ୍କକୁ କେବଳ କିଛି ମୁହୂର୍ତ୍ତ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପଥଦର୍ଶନ ଦେଇଥାଏ।” — ଏଭଳି ଗଭୀର ଚିନ୍ତାବାହି ବାଣୀ ସହ ୨୬ତମ ସମ୍ବଲପୁର ପୁସ୍ତକ ମେଳାର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୁସ୍ତକ ମେଳା କେବଳ ବହି କିଣିବା–ବେଚିବାର ଏକ ମଞ୍ଚ ନୁହେଁ, ଏହା ଜାତିର ପୂର୍ବଜ ଓ ମହାପୁରୁଷଙ୍କ ସ୍ମୃତି ଚାରଣର ଏକ “ବୌଦ୍ଧିକ ମହାକୁମ୍ଭ”।
ବହି ମାନବକୁ ଚିନ୍ତନ, ସଂସ୍କାର ଓ ସଂସ୍କୃତିର ସହିତ ଯୋଡ଼ି ରଖେ ବୋଲି ସେ ଉଲ୍ଲେଖ କରିଥିଲେ।ଏହି ବର୍ଷର ପୁସ୍ତକ ମେଳାର ବିଶେଷତା ନେଇ ସେ କହିଛନ୍ତି ଯେ, ଆମେ ଏକାସାଥିରେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ, ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ, ‘ବନ୍ଦେ ମାତରମ୍’ ଗୀତ ରଚନାର ୧୫୦ ବର୍ଷ, ମା’ ରମାଦେବୀଙ୍କ ୧୨୫ ବର୍ଷ, ପାର୍ବତୀ ଗିରିଙ୍କ ୧୦୦ ବର୍ଷ, ବାଜି ରାଉତଙ୍କ ଶତବାର୍ଷିକୀ, ଆର.ଏସ.ଏସ.ର ଶତବାର୍ଷିକୀ, ନେତାଜୀଙ୍କ ୧୩୦ ତମ ଜନ୍ମଦିନ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ ତମ ଜୟନ୍ତୀ ପାଳନ କରୁଛୁ। ଏଭଳି ଐତିହାସିକ ସମୟରେ ପୁସ୍ତକ ମେଳା ଆୟୋଜନ ହେବା ଗୌରବର ବିଷୟ ବୋଲି ସେ କହିଥିଲେ। ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ଯେ, ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ କାତାର ଓ ସ୍ପେନର ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ “ଦ ଷାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକଟି ସ୍ପାନିସ ସହ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚିତ ହୋଇଛି।
ବର୍ତ୍ତମାନ ଏହି ପୁସ୍ତକ ମୋଟ ୧୩ଟି ଭାଷାରେ ଉପଲବ୍ଧ ଓ କୁଦୋପାଲିର ଅଜଣା ନାୟକମାନଙ୍କ ବଳିଦାନ ୧୮୫୭ ସିପାହୀ ବିଦ୍ରୋହର ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।ଉଦଘାଟନୀ ଦିବସରେ ଶ୍ରୀ ପ୍ରଧାନ ଓ ଅନ୍ୟାନ୍ୟ ଅତିଥିମାନଙ୍କ କରକମଳରେ ଶିଶିର ବେହେରାଙ୍କ ଅନୁବାଦିତ ‘ଆନନ୍ଦ ମଠ’ର ଓଡ଼ିଆ ସଂସ୍କରଣ, ଦୀପକ ପଣ୍ଡାଙ୍କ ରଚିତ ‘ଦ ଲ୍ୟାଣ୍ଡ ଅଫ୍ ଭାଲୋର: ହିଷ୍ଟ୍ରି ଅଫ୍ ସମ୍ବଲପୁର’, ‘ବୀର ସୁରେନ୍ଦ୍ର ସାଏ’, ‘ମାଆ ସମଲେଶ୍ୱରୀ’, ‘ସବ୍ମର୍ଜଡ୍ ଟେମ୍ପଲ୍ସ ଅଫ୍ ସମ୍ବଲପୁର’ ସହ ଅନେକ ମୂଲ୍ୟବାନ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଏଥିସହ ଗଣେଶରାମ ନାହାକଙ୍କ ସମ୍ପାଦିତ ‘ସତ୍ୟ ନାରାୟଣ ବୋହିଦାର ଗ୍ରନ୍ଥାବଳି’ ଓ ନିରଞ୍ଜନ ତ୍ରିପାଠୀଙ୍କ ସମ୍ପାଦିତ ‘ଘନଶ୍ୟାମ ରଥଙ୍କ ଗ୍ରନ୍ଥାବଳୀ’ ମଧ୍ୟ ଉନ୍ମୋଚନ ହୋଇଛି। ପିଏଚଡି ପଡ଼ିଆରେ ଆୟୋଜିତ ଏହି ପୁସ୍ତକ ମେଳା ଆସନ୍ତା ୧ ଫେବୃଆରୀ ପର୍ଯ୍ୟନ୍ତ, ପ୍ରାୟ ୯ ଦିନ ଧରି ଚାଲିବ। ଜ୍ଞାନ, ସଂସ୍କୃତି ଓ ଚିନ୍ତାଧାରାର ଏହି ମହୋତ୍ସବକୁ ନେଇ ସମ୍ବଲପୁରବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି।

