ନ୍ୟୁଜ ଡେକ୍ସ : ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଧୀରେ ଧୀରେ କମିବାକୁ ଯାଉଛି। ଭୁବନେଶ୍ୱର ସହିତ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଗୋପାଳପୁର ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିଅସ୍ କିମ୍ବା ତାହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ପାଣିପାଗ ବିଭାଗ ଅନୁସାରେ ରବିବାର ପୁରୀରେ ରାତି ତାପମାତ୍ରା ୧୮ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ।
ସେହିପରି ଗୋପାଳପୁର ଓ ଛତ୍ରପୁରରେ ୧୭ ଡିଗ୍ରୀ, ଭଦ୍ରକ, ଯାଜପୁର ଓ ଚାନ୍ଦବାଲିରେ ୧୫ ଡିଗ୍ରୀ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୪ ଡିଗ୍ରୀ ରହିବାର ସମ୍ଭାବନା ରହିଛି।ଏହି ପରିବର୍ତ୍ତନ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଉତ୍ତର ଓ ଅନ୍ତର୍ଭାଗ ଓଡ଼ିଶାରେ ତଥାପି ଶୀତର ପ୍ରଭାବ ଅଧିକ ରହିଛି।ରାଜ୍ୟର ସବୁଠାରୁ ଶୀତଳ ସ୍ଥାନ ଭାବେ ଜି. ଉଦୟଗିରିରେ ୫.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି।
ରାଉରକେଲାରେ ୮.୫ ଡିଗ୍ରୀ, ଝାରସୁଗୁଡ଼ାରେ ୮.୭ ଡିଗ୍ରୀ, ଫୁଲବାଣୀରେ ୯ ଡିଗ୍ରୀ, ନବରଙ୍ଗପୁର ଓ କିରେଇରେ ୧୦ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ତାପମାତ୍ରା ରହିଥିଲା। ପାଣିପାଗ ବିଭାଗ କହିଛି ଯେ, ପବନ ଦିଗରେ ପରିବର୍ତ୍ତନ ଓ ଉଷ୍ଣ ଆର୍ଦ୍ରତା ବୃଦ୍ଧି ପାଇବା ଫଳରେ ଉପକୂଳ ଅଞ୍ଚଳରେ ଶୀତର ପ୍ରଭାବ କମିବ। ଲୋକମାନଙ୍କୁ ତଥାପି ସକାଳ ଓ ରାତି ସମୟରେ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।

