ନ୍ୟୁଜ ଡେକ୍ସ : ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହାତ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ବୁଲାୱେରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ୍ ଇଣ୍ଡିଆ କ୍ରମାଗତ ୩ଟି ମ୍ୟାଚରେ ଜିତି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଦୃଢ଼ କରିଛି।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୬.୨ ଓଭରରେ ୧୩୫ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ କ୍ୟାଲମ ସାମସନ ୩୭ ଓ ସେଲଭିନ ସଞ୍ଜୟ ୨୮ ରନ କରିଥିଲେ। ଭାରତ ପକ୍ଷରୁ ଆରଏସ ଅମ୍ବରୀଶ ୪ଟି ଏବଂ ହେନିଲ ପଟେଲ ୩ଟି ୱିକେଟ ନେଇ କିୱି ବ୍ୟାଟିଂକୁ ଭାଙ୍ଗିଦେଇଥିଲେ।ବର୍ଷା କାରଣରୁ ମ୍ୟାଚ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ପରେ ଡକୱର୍ଥ–ଲୁଇସ ନିୟମ ଅନୁସାରେ ୩୭ ଓଭରରେ ଭାରତ ସମ୍ମୁଖରେ ୧୩୦ ରନର ସଂଶୋଧିତ ଲକ୍ଷ୍ୟ ଧରାଯାଇଥିଲା।ଭାରତୀୟ ଦଳ ଏହି ଲକ୍ଷ୍ୟକୁ କେବଳ ୧୩.୩ ଓଭରରେ ୩ ୱିକେଟ ହାରାଇ ସହଜରେ ପୂରଣ କରିନେଲା।
ଆୟୂଷ ମାହାତ୍ରେ ଆକର୍ଷଣୀୟ ୫୩ ରନ ଏବଂ ବୈଭବ ସୂର୍ଯ୍ୟବଂଶୀ ୪୦ ରନ କରି ଦଳକୁ ଜିତରେ ପହଞ୍ଚାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ସେଲଭିନ ସଞ୍ଜୟ ଓ ମେସନ କ୍ଲାର୍କ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ, କିନ୍ତୁ ଭାରତୀୟ ବ୍ୟାଟସମାନଙ୍କୁ ରୋକିବାରେ ସଫଳ ହୋଇପାରିନଥିଲେ।ଏହି ବିଜୟ ସହ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ବଢ଼ିଛି ଏବଂ ଖିତାବ ଆଶାକୁ ଆହୁରି ଶକ୍ତ କରିଛି।

