Sat. Feb 21st, 2026

ନ୍ୟୁଜ ଡେକ୍ସ : ତାଳଚେର–ଅନୁଗୁଳ ଦ୍ବୈତ ନଗରୀକୁ ସଂଯୋଗ କରୁଥିବା ଘଣ୍ଟପଡା ଫ୍ଲାଏଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୮ ବର୍ଷର ପ୍ରତୀକ୍ଷା ପରେ ଏହି ବ୍ରିଜ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତେ ଶୁଭ ଉଦଘାଟନ ହେବ। ୪୨ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ଫ୍ଲାଏଓଭର ଅଞ୍ଚଳବାସୀଙ୍କ ପାଇଁ ଏକ ବଡ଼ ଉପହାର ଭାବେ ଦେଖାଯାଉଛି।

ଖବରମୁତାବକ, ଦୀର୍ଘଦିନ ଧରି ରେଲୱେ ଫାଟକ ଯୋଗୁ ଏହି ରାସ୍ତାରେ ଯାତାୟାତ ଭୟଙ୍କର ଭାବେ ବାଧାପ୍ରାପ୍ତ ହେଉଥିଲା। ଘଣ୍ଟା ଘଣ୍ଟା ଧରି ଗାଡ଼ି ମୋଟର ଅଟକି ରହୁଥିଲା, ଯାହାରେ ସାଧାରଣ ଲୋକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ରୋଗୀମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକରେ ଫସି ଜୀବନ ସଙ୍କଟରେ ପଡ଼ୁଥିଲା।ଏହି ସମସ୍ୟାର ସ୍ଥାୟୀ ସମାଧାନ ଭାବେ ଘଣ୍ଟପଡା ଫ୍ଲାଏଓଭର ଯୋଜନା ଆରମ୍ଭ ହୋଇଥିଲା।

କିନ୍ତୁ ବିଭିନ୍ନ କାରଣରୁ ନିର୍ମାଣ କାମ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଗତ ବର୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ MCLକୁ ସ୍ପଷ୍ଟ ନିର୍ଦେଶ ଦେଇଥିବା ପରେ କାମ ଦ୍ରୁତ ଗତିରେ ଆଗେଇ ଶେଷ ହୋଇଥିଲା। ଏବେ ଏହି ଫ୍ଲାଏଓଭର ଚାଲୁ ହେଲେ ତାଳଚେର–ଅନୁଗୁଳ ମଧ୍ୟରେ ଯାତାୟାତ ସୁବିଧାଜନକ ହେବା ସହ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପରେ ମଧ୍ୟ ଗତି ଆସିବ। ପ୍ରତୀକ୍ଷାର ଅନ୍ତ ଘଟିଥିବାରୁ ଅଞ୍ଚଳବାସୀ ବେଶ୍ ଖୁସି ଏବଂ ରବିବାରର ଉଦଘାଟନକୁ ନେଇ ବେଶ୍ ଉତ୍ସାହ ଦେଖାଯାଉଛି।

Leave a Reply

Your email address will not be published. Required fields are marked *